ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ: ଧର୍ମେନ୍ଦ୍ର ପ୍ରଧାନ

• ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି। • ବିଜେପି ଜନତାଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ୱାସର ସମକକ୍ଷ ହୋଇଛି। • ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ପାଇଁ ଦେଲେ ପରାମର୍ଶ।

ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର, ଏପ୍ରିଲ ୦୬ – ବିଜେପି ଆଜି ଓଡ଼ିଶା ସମେତ ଦେଶବାସୀଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ୱାସର ସମକକ୍ଷ ହୋଇଛି ବୋଲି ଶନିବାର ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଭଉଣୀ ଏବଂ ସମଗ୍ର ବିଚାର ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି ।

ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ୱ, ଶୀର୍ଷ ନେତୃତ୍ୱର ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ଆଜି ବିଜେପି ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏକ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଫିର୍ ଏକ ବାର୍ ମୋଦୀ ସରକାର, ଓଡ଼ିଶାରେ ଦରକାର, ଡବଲ ଇଞ୍ଜିନ ସରକାରର ନାରା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ବିଗତ ୧୦ ବର୍ଷରେ ଅନେକ କାମ ହୋଇଛି, ଯାହାର ପ୍ରତିଫଳନ ସମ୍ବଲପୁରରେ ହୋଇଛି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ,ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଲୋକଙ୍କ ସମ୍ବଲପୁରବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି । ଆଇଆଇଏମ ପ୍ରତିଷ୍ଠା ସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ ହୋଇଛି । ଦେଶରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭରସା ବଢିଛି । ଆମେ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମୋଦୀ ଗ୍ୟାରେଣ୍ଟି, ଜନକଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ତଥା ଗତ ୧୦ ବର୍ଷର ଟ୍ରାକ୍ ରେକର୍ଡକୁ ସମ୍ବଲପୁରର ଘରେ ଘରେ ପହଞ୍ଚାଇବା ପାଇଁ ଆହୁରି ପରିଶ୍ରମ କରିବା ଦରକାର ।

ଅପରପକ୍ଷରେ ଗୋଟିଏ ସରକାର ଦୀର୍ଘ ୨୫ ବର୍ଷ ଦାୟିତ୍ୱରେ ରହିବା ପରେ ଓଡ଼ିଶା ଓ ସମ୍ବଲପୁରର ସ୍ଥିତି କଣ, ତାହା ନିର୍ବାଚନର ପ୍ରସଙ୍ଗ ହୋଇଛି । ଆଇନଶୃଙ୍ଖଳା, ସ୍ୱଚ୍ଛ ପାନୀୟ ଜଳ, ବେରୋଜଗାରୀ ତଥା ମୌଳିକ ସମସ୍ୟା ଉପଲବ୍ଧି ନହେବା ଆଜିର ନିର୍ବାଚନ ପ୍ରସଙ୍ଗ ହୋଇଛି । ଏହି ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବା । ଦଳକୁ ବିଜୟୀ କରିବା ସହ ମୋଦୀଙ୍କ ହାତମୁଠାକୁ ଟାଣ କରିବା, ଏହା କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ ହେଉ ବୋଲି ସେ କହିଛନ୍ତି ।

ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।