ଟିପ୍ପର ଦୁର୍ଘଟଣାରେ ଡ୍ରାଇଭର ମୃତ

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଏହି ଅଭାବନୀୟ ଘଟଣା ଘଟିଯାଇଛି।

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟିପ୍ପର

ଜେନାପୁର,(ଦର୍ଶନ ନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଅଧୀନ ଜେନାପୁର ଥାନା ଅନ୍ତର୍ଗତ ଜାରକା-କଲାଣ୍ଡ ନଦୀ ବନ୍ଧ ବାଲିକୁଦିଆ ଗ୍ରାମ ନିକଟରେ ଶନିବାର ଦିନ ଅପରାହ୍ନରେ ଏକ ଟିପ୍ପର ଓଲଟି ପଡିବାରୁ ଟିପ୍ପର ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ,ଟିପ୍ପର ନଂ(ଓଆର୦୯ଯେ୯୯୬୧) ଟିକୁ ସ୍ଥାନୀୟ ବାଲିକୁଦିଆ ଦଳିତ ସାହିର ଟିମିଣି ମଳିକଙ୍କ ପୁଅ ତପନ ମଳିକ(୩୫) ଉକ୍ତ ନଦୀବନ୍ଧରେ ଚଳାଇ ଆସୁଥିଲେ । ଅନ୍ୟମନସ୍କ ଭାବେ ନିଜ ଗ୍ରାମର ଅନ୍ୟ ଏକ ଗଡ଼ାଣୀରେ ଗାଡିଟିକୁ ଗଡାଇ ଦେଇଥିବା ଜାଣି ପୁଣି ଥରେ ପଛୁଆ କରି ଉଠାଉଥିବା ବେଳେ ଟିପ୍ପରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଚାଳକ ତପନ ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥାନରେ ପହଁଚି ଟିପ୍ପରକୁ ଉଠାଇ ମୃତ ଦେହକୁ ବାହାର କରିଥିଲେ । ପୋଲିସ ମୃତ ଦେହକୁ ଜବତ କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା ଉପରେ ତଦନ୍ତ ଜାରି ରଖିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତପନଙ୍କର ଜଣେ ୧୧ବର୍ଷର ପୁଅ ଓ ୭ବର୍ଷର ଜଣେ ଝିଅ ଥିବା ଜଣାପଡିଛି ।