ଟିକେଟ ବଣ୍ଟନ କଲା ନିରାଶ

ଆଜି ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାସ ସିଂହ ଇସ୍ତଫା ଦେଇଛନ୍ତି।

ବିଜେଡି ଛାଡିଲେ ପ୍ରଭାସ

ଭୁବନେଶ୍ବର, ୦୮/୦୪/୨୦୨୪: ପାଖେଇ ଆସୁଛି ନିର୍ବାଚନ। ବଣ୍ଟା ସରିଲାଣି ଟିକେଟ। ବିଧାନସଭା ଓ ଲୋକସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ଟିକେଟ ବଣ୍ଟା ହୋଇଛି। କିନ୍ତୁ ଟିକେଟ ଆଶାୟୀ ଥିବା କେତେକ ନେତା ଏବେ ଛାଡୁଛନ୍ତି ଦଳ। କିଏ ବିଜେଡିରୁ ବିଜେପି ତ ଆଉ କିଏ ବିଜେପିରୁ ବିଜେଡି। ଟିକେଟ ଆଶାରେ ଛାଡୁଛନ୍ତି ଦଳ।

ଠିକ୍ ସେହିପରି ଆଜି ବିଜେଡିର ବରିଷ୍ଠ ନେତା ତଥା ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ ଟିକେଟ ନ ମିଳିବାରୁ ଦଳ ଛାଡିଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିବା ପରେ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବରଗଡ଼ ଲୋକସଭା ଆସନ ପାଇଁ ଟିକେଟ ନ ମିଳିବାରୁ ନିରାଶ ହୋଇ ପ୍ରଭାସ ବିଜେଡି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଭାସ ୨୦୧୪ ନିର୍ବାଚନରେ ବରଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୯ରେ ବିଜେଡି ତାଙ୍କୁ ଟିକେଟରୁ ବଞ୍ଚିତ କରିଥିଲା। ସେ ୨୦୨୪ରେ ବରଗଡ଼ ଲୋକସଭା ଆସନ ପାଇଁ ଟିକେଟ ପାଇବା ନେଇ ଆଶାବାଦୀ ଥିଲେ। ତେବେ ବିଜେଡି ଏଥର ମଧ୍ୟ ତାଙ୍କୁ ନିରାଶ କରିଛି। ତେଣୁ ଦୁଇ ଥର ଟିକେଟ ନ ମିଳିବାରୁ କ୍ଷୁବ୍ଧ ହୋଇ ପ୍ରଭାସ ବିଜେଡି ଛାଡିବାକୁ ନିଷ୍ପତ୍ତି ନେଇଥିଲେ।