ସାବଧାନ ବିଦ୍ରୋହୀ!

ଯେଉଁ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବା ନେଇ ପ୍ରାର୍ଥୀପତ୍ର ଦାଖଲ କରିବେ; ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବିଜେଡି।

ସୁଦୂରପ୍ରସାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଜେଡି

ଭୁବନେଶ୍ୱର,୮ା୪ (ଦର୍ଶନ ନ୍ୟୁଜ୍‌) : ୨୦୨୪ ନିର୍ବାଚନର ଉଷ୍ମତା ଓଡ଼ିଶାର ୧୪୭ ବିଧାନସଭା ଆସନ ସହିତ ୨୧ଟି ଲୋକସଭା ଆସନରେ ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଲାଣି । ନିର୍ବାଚନ ଫଳାଫଳ ଜୁନ୍ ୩ରେ ସ୍ପଷ୍ଟ ହେବ । ମାତ୍ର ନିର୍ବାଚନ ମଇଦାନରେ ବିଦ୍ରୋହୀଙ୍କ ସମ୍ଭାବ୍ୟ ଆବିର୍ଭାବ ସବୁ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅତୀତରେ କେତେକାଂଶରେ ବିଦ୍ରୋହୀଙ୍କ ଅବତୀର୍ଣ୍ଣ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଉଦାହରଣ ରହିଛି । ମାତ୍ର ଅଧିକାଂଶ ମାତ୍ରାରେ ବିଦ୍ରୋହୀଙ୍କ ଭୂମିକା ଫସର ଫାଟିଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ଅନୁଯାୟୀ ୨୦୨୪ ନିର୍ବାଚନରେ ଯେଉଁ ଦଳୀୟ ନେତା ଓ କର୍ମୀ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବା ନେଇ ପ୍ରାର୍ଥୀପତ୍ର ଦାଖଲ କରିବେ; ସେମାନଙ୍କ ବିରୁଦ୍ଧରେ ବିଜେଡି ସୁଦୂରପ୍ରସାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ଅତୀତରେ ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ଦଳରୁ ନିଲମ୍ବନ କରାଯାଉଥିଲା ଏବଂ କିଛିଦିନ ପରେ ପୌର, ପଞ୍ଚାୟତ କିମ୍ବା ସାଧାରଣ ନିର୍ବାଚନ ପୂର୍ବରୁ ନିଲମ୍ବନ ଆଦେଶ ହଟାଇ ଦିଆଯାଉଥିଲା । ଫଳତଃ ନିଲମ୍ବିତ ନେତାମାନେ ପୁନର୍ବାର ଦଳର ମୁଖ୍ୟ ସ୍ରୋତରେ ସାମିଲ ହୋଇଯାଉଥିଲେ । ତେବେ ଚଳିତଥର ବିଜେଡି କିନ୍ତୁ ବିଦ୍ରୋହୀଙ୍କ ବିରୁଦ୍ଧରେ ଭିନ୍ନ ରଣନୀତି ଆପଣାଇବ ବୋଲି ଆପାତତଃ ସ୍ଥିର ହୋଇଯାଇଛି । ଅର୍ଥାତ୍ ବିଦ୍ରୋହୀ ପ୍ରାର୍ଥୀଙ୍କୁ ଦଳରୁ ନିଲମ୍ବନ ଓ ଆବଶ୍ୟକ ସ୍ଥଳେ ବହିଷ୍କାର ସାଙ୍ଗକୁ ପରବର୍ତ୍ତୀ ସମୟରେ ଏହି ବିଦ୍ରୋହୀ ନେତାଙ୍କ ଉପରୁ ଯଦିବା ନିଲମ୍ବନ କିମ୍ବା ବହିଷ୍କାର ପ୍ରତ୍ୟାହୃତ ହୁଏ; ତେବେ ମଧ୍ୟ ବିଦ୍ରୋହୀଙ୍କୁ କୌଣସି ପରିସ୍ଥିତିରେ ଦଳୀୟ ମୁଖ୍ୟ ରାଜନୈତିକ କାର୍ଯ୍ୟକ୍ରମରେ ଆଦୌ ସାମିଲ କରାଯିବ ନାହିଁ । ସେହିପରି ଏହି ନେତାମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେଲେ ସୁଦ୍ଧା କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦିଆଯିବ ନାହିଁ, ଭବିଷ୍ୟତରେ ଦଳୀୟ ପ୍ରାର୍ଥୀ ରୂପେ ଲଢ଼ିବା ପାଇଁ ମଧ୍ୟ ଟିକଟ ମଧ୍ୟ ଦିଆଯିବନାହିଁ । ମୋଟାମୋଟି ବିଶୃଙ୍ଖଳିତ, ଅନୁଶାସନକାରୀଭଙ୍ଗ ଏବଂ ବିଦ୍ରୋହୀ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତକୁ ସମ୍ପୂର୍ଣ୍ଣ ଶଙ୍କୁଚିତ କରିଦେବା ପାଇଁ ବିଜେଡି ରଣନୀତି ଆପଣାଇବା ପାଇଁ ପଛାଇବ ନାହିଁ ।