ରାଉରକେଲାରେ ବିଜେପି ଟିକେଟରୁ ଲଢିବେ ଦିଲ୍ଲୀପ

ରାଉରକେଲା ବିଧାନସଭା ଆସନରୁ ବିଜେପି ଟିକେଟରେ ଦିଲ୍ଲୀପ ରାୟ ନିର୍ବାଚନ ଲଢିବେ।

ସ୍ପଷ୍ଟ କଲେ ଜୁଏଲ

ଭୁବନେଶ୍ୱର, ୦୯/୦୪/୨୦୨୪: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦୋଷୀ ସାବ୍ୟସ୍ତ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇବା ପରେ ତାଙ୍କୁ ମିଳିଛି ଆଶ୍ୱସ୍ତି। ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି କଳ୍ପନାଜଳ୍ପନା ଚାଲିଥିଲା। ଏହି ଚର୍ଚ୍ଚାର ଅନ୍ତ ଘଟାଇ ବିଜେପି ସାସଂଦ ପ୍ରାର୍ଥୀ ଜୁଏଲ ଓରାମ କହିଛନ୍ତି ଯେ, ଦଳ ତାଙ୍କ ପ୍ରାର୍ଥୀତ୍ୱ ଚୂଡାନ୍ତ କରିଛି।

ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଜୁଏଲ କହିଛନ୍ତି ଯେ, ଖୁବ୍ ଶୀଘ୍ର ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ। ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ଦିଲ୍ଲୀପଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିଛି। ରାଉରକେଲାରୁ ତାଙ୍କ ପ୍ରାର୍ଥୀତ୍ୱ ଚୂଡ଼ାନ୍ତ ହୋଇଛି ଏବଂ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହେବା ପରେ ତାଙ୍କ ନାମ ଘୋଷଣା କରାଯିବ। ଦିଲ୍ଲୀପ ବୁଧବାର ରାଉରକେଲାରେ ପହଞ୍ଚି ସିଧାସଳଖ ପ୍ରଚାର ମୋଡକୁ ଓହ୍ଲାଇବେ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦିଲ୍ଲୀପ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୨୦ରେ ତାଙ୍କୁ ଟ୍ରାୟାଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା।