ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଜେଡ୍ ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଜେଡ୍ ବର୍ଗର ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ସମ୍ଭାବ୍ୟ ବିପଦ ଆଶଙ୍କା

ନୂଆଦିଲ୍ଲୀ, ୦୯/୦୪/୨୦୨୪: ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମିଳିଲା ଜେଡ୍ ବର୍ଗର ସୁରକ୍ଷା। କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ସଶସ୍ତ୍ର କମାଣ୍ଡୋଙ୍କ ଜେଡ୍ ବର୍ଗର ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। ସୁରକ୍ଷା ବାବଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସକୁ ପ୍ରାୟ ୪୦ରୁ ୪୫ ଜଣିଆ ଫୋର୍ସ ଯୋଗାଇଦେବାକୁ ଦାୟିତ୍ବ ଦେଇଛି।

ସୂଚନାନୁସାରେ, ଗତ କିଛି ଦିନ ଭିତରେ ସିଇସିଙ୍କୁ ଧମକପୂର୍ଣ୍ଣ ଚିଠି ମିଳୁଥିଲା। ତେଣୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଯୋଗାଇ ଦେଇଛନ୍ତି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ପଦବୀ। ଏହି ପଦବୀରେ ଅବସ୍ଥାପିତ ଥିବା ଅଧିକାରୀଙ୍କ ନିର୍ବାଚନ ସମୟରେ ଅଧିକ ସୁରକ୍ଷା ଦାୟିତ୍ୱ ବଢି ଯାଇଥାଏ। ଏପ୍ରିଲ ୧୯ରୁ ଆରମ୍ଭ ହେବାକୁ ଥିବା ସାତଟି ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି।