ଅରବିନ୍ଦ ଓ ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ

ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି।

ଦଳ ବଦଳ ନିରୋଧ ଆଇନ ଅମାନ୍ୟ ଅଭିଯୋଗ

ଭୁବନେଶ୍ୱର, ୧୧/୦୪/୨୦୨୪: ଓଡ଼ିଶା ବିଧାନସଭାର ଦୁଇ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଦଳ ଅଦଳବଦଳ ଅଭିଯୋଗରେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ଏ ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ମୁତାବକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଗତ କିଛି ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ଏମାନେ ଦଳ ନିରୋଧ ଆଇନ ଅମାନ୍ୟ କରିବା ଅଭିଯୋଗ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ତେଣୁ ମାର୍ଚ୍ଚ ୧୮ ତାରିଖରେ ବାଚସ୍ପତିଙ୍କ ନିକଟରେ ଦଳ ବଦଳ ନିରୋଧ ଆଇନ ଅମାନ୍ୟ କରିବା ଅଭିଯୋଗରେ ପ୍ରଶାନ୍ତ ପିଟିସନ ଦାୟର କରିଥିଲେ। ମାର୍ଚ୍ଚ ୧୯ରେ ଦୁଇ ଜଣ ବିଧାୟକଙ୍କୁ ପିଟିସନ ଆଧାରରେ ସ୍ପଷ୍ଟୀକରଣ ମଗା ଯାଇଥିଲା। କିନ୍ତୁ ପିଟିସନର କୌଣସି ଉତ୍ତର ରଖିନଥିଲେ ଅରବିନ୍ଦ ଓ ପ୍ରେମାନନ୍ଦ। ଦୁଇ ଜଣ ବିଧାୟକଙ୍କୁ ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏପ୍ରିଲ ୨ ତାରିଖରେ ବାଚସ୍ପତି ଚିଠି ଲେଖିଥିଲେ। ହେଲେ, ବ୍ୟକ୍ତିଗତ ଭାବେ ମଧ୍ୟ ହାଜର ହୋଇ ଦୁଇ ବିଧାୟକ ନିଜ ପକ୍ଷ ରଖି ନଥିଲେ। ସେଥିପାଇଁ ବିଧାୟକଙ୍କ ସଭ୍ୟ ପଦ ତୁରନ୍ତ ରଦ୍ଦ କରାଯାଇଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଅରବିନ୍ଦ ଢାଲି କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ମଧ୍ୟ ମୋତେ ବାଚସ୍ପତିଙ୍କୁ ଭେଟିବାକୁ ସୁଯୋଗ ମିଳିନଥିଲା। ମୋର ଦେହ ଅସୁସ୍ଥ ଥିବାରୁ ମୁଁ ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲି। ହେଲେ ମୋର ସ୍ପଷ୍ଟୀକରଣ ରଖିବା ପାଇଁ ମୋତେ ସୁଯୋଗ ମିଳିନାହିଁ। “