ପୁଣି ନିର୍ବାଚନ କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି

ନିର୍ବାଚନ ଡ୍ୟୁଟିରେ ଥିବା ସରକାରୀ ଅଧିକାରୀଙ୍କୁ ବିଜେପି ନେତା ଧମକ ଦେବା ଅଭିଯୋଗ କରିଛି ବିଜେଡ଼ି।

ବିଜେପି ନେତାଙ୍କ ବିରୋଧରେ ପିଟିସନ ଦାଖଲ

ଭୁବନେଶ୍ବର, ୧୩/୦୪/୨୦୨୪: ବିଜେପି ନେତା ଓ ପ୍ରାର୍ଥୀମାନେ ବେଆଇନ କାର୍ଯ୍ୟକଳାପରୁ ଟିକେ ବି ପଛଘୁଞ୍ଚା ଦେଉନାହାନ୍ତି। ରାଜ୍ୟରେ ନିର୍ବାଚନ ଡ୍ୟୁଟିରେ ଥିବା ସରକାରୀ ଅଧିକାରୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଏ ନେଇ ଶାସକ ଦଳ ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ ହୋଇଛି।

ବିଜେପି ନେତା ଓ ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କ ନାମର ଅପବ୍ୟବହାର କରି ନିର୍ବାଚନ ଡ୍ୟୁଟିରେ ଥିବା ସରକାରୀ ଅଧିକାରୀଙ୍କୁ ଧମକ ଦେଉଥିବା ଅଭିଯୋଗ କରି ନିର୍ବାଚନ କମିଶନରଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଛନ୍ତି ବିଜେଡିର ଏକ ପ୍ରତିନିଧି ଦଳ।

ଅତୀତରେ ବିଡିଓ, ତହସିଲଦାର, ଡିଏସପି ଓ ଆଇଆଇସିଙ୍କୁ ଏହି ନେତା ଓ ପ୍ରାର୍ଥୀମାନେ କିପରି ଡକାଇ ନିର୍ବାଚନ କମିସନଙ୍କ ନାମର ଅପବ୍ୟବହାର କରି ବଦଳି ଓ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଉଥିଲେ, ସେ ନେଇ ପୂର୍ବରୁ ଅଭିଯୋଗ କରିଛୁ। ତେଣୁ ରାଜ୍ୟରେ କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ, ସେ ନେଇ ରାଜ୍ୟ ବିଜେପିର ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଅନୁରୋଧ କରୁଛୁ।