ଚାର୍ଜସିଟ୍ ଦ୍ୱାରା ବିଜେଡିର ୨୫ ବର୍ଷର ମିଥ୍ୟା ରୂପାନ୍ତରଣ ସହ ବିଫଳତାର ପର୍ଦ୍ଦାଫାଶ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

• ବିଜେଡି ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି, କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥା ସୀମିତ ରହିଛି। • ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ସ୍ୱଚ୍ଛ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ସମସ୍ୟା ଦେଖାଯାଇଛି। • ରାଜନୈତିକ ଅଭିସନ୍ଧି ରଖି ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯାଉନାହିଁ।

ଢେଙ୍କାନାଳ ଓ ଅନୁଗୋଳ ବିଜେପିର ମିଶ୍ରଣ ପର୍ବ ଓ ସାମ୍ବାଦିକ ସମ୍ମିଳନୀ

ଢେଙ୍କାନାଳ/ଅନୁଗୋଳ, ଏପ୍ରିଲ ୧୩, ୨୦୨୪: ବିଜେଡି ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି । କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଶାସନ ବ୍ୟବସ୍ଥା ସୀମିତ ଅଛି । ଏହି ସବୁ ନିର୍ବାଚନୀ ପ୍ରସଙ୍ଗକୁ ଆୟୁଧ କରି ବିଜେପି ଲୋକଙ୍କ ପାଖକୁ ଯିବା ସହ ବିତର୍କ କରିବ । ଦୀର୍ଘ ୨୫ ବର୍ଷର ମିଥ୍ୟା ରୂପାନ୍ତରଣକୁ ନେଇ ଦଳ ତରଫରୁ ଖୁବ ଶୀଘ୍ର ଚାର୍ଜସିଟ୍ ପ୍ରକାଶ କରାଯିବ । ବିଜେଡି ସରକାରର ମିଛ ଆତ୍ମପ୍ରଚାର ଓ ବିଫଳତାକୁ ଏହି ଚାର୍ଜସିଟ ମାଧ୍ୟମରେ ପର୍ଦ୍ଦାଫାଶ କରାଯିବ ବୋଲି ଶନିବାର ଢେଙ୍କାନାଳ ଓ ଅନୁଗୋଳର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ଓ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନରେ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ସମେତ ଓଡ଼ିଶାରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି । ଦୀର୍ଘ ୨୫ ବର୍ଷରେ ପିଇବା ପାଇଁ ସ୍ୱଚ୍ଛ ପାଣି ନାହିଁ । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ଢେଙ୍କାନାଳ ସଦର ହସ୍ପିଟାଲ ସମେତ ଅନ୍ୟାନ୍ୟ ମେଡିକାଲରେ ମଞ୍ଜୁରପ୍ରାପ୍ତ ଡାକ୍ତର ପଦବୀ ଅଧାରୁ ଅଧିକ ଖାଲି ପଡିଛି । ରାସ୍ତା ନଥିବାରୁ ରୋଗୀମାନେ ଖଟିଆରେ ବୁହା ହେଉଥିବା ହେଳେ ନବଜାତ ଶିଶୁଙ୍କ ଅପପୁଷ୍ଟି, ରକ୍ତହୀନତା ସମସ୍ୟା ଘୋର୍ ଚିନ୍ତାଜନକ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଚଏଫଏସ) ଅନୁସାରେ ଓଡ଼ିଶାରେ ନବଜାତ ଶିଶୁ, ମହିଳାମାନେ ଅପପୃଷ୍ଟି ଓ ରକ୍ତହୀନତାର ଶୀକାର । ଓଡ଼ିଶାର ୧୯% ଶିଶୁ ଜନ୍ମ ହେବା ବେଳେ କମ ଓଜନର ଶୀକାର ହେଉଛନ୍ତି । ରାଜ୍ୟରେ ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ । ବର୍ତ୍ତମାନ ଜନ୍ମ ନେଉଥିବା ଶିଶୁଙ୍କ ନେତୃତ୍ୱରେ ୨୦୩୬ ସୁଦ୍ଧା ଓଡ଼ିଶା ଭାଷା ଭିତ୍ତିରେ ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । କିନ୍ତୁ ଏଠାରେ ସ୍ୱାସ୍ଥ୍ୟ କାର୍ଡ୍ ନେଇ ମିଛ ଡିଣ୍ଡିମ ପିଟାଯାଉଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ଅଭିସନ୍ଧି ରଖି ସ୍ଥାନୀୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କାରଣରୁ ମିଛ ବିଲ୍ କରାଯାଇ ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟ୍ କରୁଛନ୍ତି । ଜଳସେଚନରେ ଅବ୍ୟବସ୍ଥା ଦେଖାଦେଇଛି । ବିଜେଡି ସରକାରରେ ମୁଷ୍ଟିମେୟ ଠିକାଦାର ଧନୀ ହେଉଛନ୍ତି । ଏହା କ’ଣ ୨୫ ବର୍ଷ ସରକାରରେ ରୂପାନ୍ତରଣ? ଓଡ଼ିଶାର ଲୋକମାନେ ଏହି ରୂପାନ୍ତରଣ ଜବାବ୍ ଦେବେ । ଏହି ଜନଅସନ୍ତୋଷକୁ ନେଇ ରାଜ୍ୟରେ ଖୁବ ଶୀଘ୍ର ବିଜେପି ସ୍ଥାନୀୟ ବିଜେଡି ନେତୃତ୍ୱ ଉପରେ ଚାଲୁଥିବା ଅବ୍ୟବସ୍ଥା ନେଇ ଚାର୍ଜସିଟ୍ ପ୍ରକାଶ କରିବ । ଏହି ନିର୍ବାଚନରେ ଲୋକମାନେ ଭୋଟ ମାଧ୍ୟମରେ ପ୍ରଚାରଧର୍ମୀ ସରକାରକୁ ହଟାଇବେ ।

ଉଲ୍ଲେଖନୀୟ ଯେ, ଢେଙ୍କାନାଳରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ବିଜେଡି ନେତା ରଣବୀର ସିଂହ, ହିନ୍ଦୋଳ ଏନଏସିର ପୂର୍ବତନ ଅଧ୍ୟକ୍ଷା ରୀନା ବେହେରା, ପାଲଲହଡା ନିର୍ବାଚନମଣ୍ଡଳୀର ବୁରୁକୁନାର ସରପଞ୍ଚ ଗୋପବନ୍ଧୁ ବେହେରାଙ୍କ ସମେତ ଅନେକ ସାମାଜିକ ନେତୃତ୍ୱ ଯୋଗଦେଇଥିଲେ । ସେହିପରି ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଉ ଏକ ପୃଥକ ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତା ତପନ ଦେହୁରୀଙ୍କ ସମେତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଶରଧାପୁର ଓ ମାଣିକଯୋଡି ପଞ୍ଚାୟତର ଅନେକ ସମର୍ଥକଙ୍କୁ ଦଳରେ କେନ୍ଦ୍ରମନ୍ତ୍ରୀ ସ୍ୱାଗତ କରିଥିଲେ । ମୋଦିଜୀଙ୍କୁ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବା ଲକ୍ଷ୍ୟରେ ବିଜେପିରେ ଯୋଗଦେଇଥିବାରୁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ନୂଆ କରି ଦଳରେ ଯୋଗଦାନ କରିଥିବା କାର୍ଯ୍ୟକର୍ତ୍ତାମାନେ ନିର୍ବାଚନରେ ସକ୍ରିୟତାର ସହ ଓଡ଼ିଶାରେ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।