ବିଏସକେୱାଇକୁ ବନ୍ଦ ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଗରିବ ଲୋକଙ୍କ ଚିକିତ୍ସା ସୁବିଧା ଛଡାଇ ନେବାକୁ ମସୁଧା। ନିଜ ବିଫଳତା ଲୁଚାଇବାକୁ ମିଛ କହୁଛନ୍ତି। ଏନ୍‍ଏଚ୍‍-୫୫ ରାସ୍ତା କାମଟି ମଧ୍ୟ ସାରିପାରିଲେ ନାହିଁ।

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ସସ୍ମିତ

ଭୁବନେଶ୍ୱର, ୧୩/୦୪/୨୦୨୪: ଦଶ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡିଶା ପାଇଁ ଅବଦାନ ଶୂନ । ସାରା ରାଜ୍ୟ କଥା ଛାଡନ୍ତୁ, ନିଜ ଅଞ୍ଚଳ ପାଇଁ କଣ କରିଛନ୍ତି, ତାର ହିସାବ ଦେବାକୁ ସେ ପଛଘୁଞ୍ଚା ଦିଅନ୍ତି । ଆଉ ଏବେ ନିଜର ବିଫଳତାକୁ ଲୁଚାଇବାକୁ ସେ ମିଛ କହିବା ଆରମ୍ଭ କରିଛନ୍ତି, ଯାହା ତାଙ୍କ ମୁହଁରେ ଆଦୌ ଶୋଭାପାଉନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରବଳ ବର୍ଷିଛନ୍ତି ସସ୍ମିତ। ସସ୍ମିତ କହିଛନ୍ତି, ସାରା ଦେଶରେ ବିଏସକେୱାଇ ଏକ ଶ୍ରେଷ୍ଠ ଯୋଜନା । ଏଥିରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି । ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ । ହେଲେ ଏହାକୁ ବନ୍ଦ କରିବାକୁ ଶ୍ରୀଯୁକ୍ତ ପ୍ରଧାନ ରୀତିମତ ଷଡଯନ୍ତ୍ର ଚଳାଇଛନ୍ତି । ସାଧାରଣ ଗରିବ ଲୋକଟିଏ ମାଗଣାରେ ଚିକିତ୍ସା ପାଇଲେ ଶ୍ରୀଯୁକ୍ତ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ଶ୍ରୀଯୁକ୍ତ ପ୍ରଧାନ ଯଦି ଭାବୁଛନ୍ତି ବିଏସକେୱାଇ ଯୋଜନା ଓଡିଶାବାସୀଙ୍କ ପାଇଁ ଖରାପ ତେବେ ସେ ନିଜ ଦଳର ଇସ୍ତାହାରରେ ୧ ନମ୍ବର ପଏଣ୍ଟରେ କୁହନ୍ତୁ, ଏହି ଯୋଜନାକୁ ବନ୍ଦ କରିଦେବେ । ଥରେ ଏହି ପ୍ରତିଶ୍ରୁତି ଦେଇ ଦେଖନ୍ତୁ, ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେଇଦେବେ ।

କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ଦେଇ ଯାଇଥିବା ଏନଏଚ-୫୫ର କାମ ସାରି ପାରିଲେ ନାହିଁ । ଆମେ ଆଶା କରୁଛୁ ଆଜି ସେହି ରାସ୍ତା ଦେଇ ଶ୍ରୀଯୁକ୍ତ ପ୍ରଧାନ ଯାଇଥିବେ ଏବଂ ନିଜର ବିଫଳତାକୁ ଅନୁଭବ କରିଥିବେ । ଏହି ରାଜପଥରେ ପ୍ରତିଦିନ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଓ ଦୁର୍ଘଟଣାରେ ପ୍ରତି ବର୍ଷ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି । ଯିଏ ସାମାନ୍ୟ ରାସ୍ତା କାମଟିଏ ସାରି ପାରିଲେ ନାହିଁ, ସେ ଏବେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ତୁଛା ଭାଷଣ ମାରୁଛନ୍ତି । ଶ୍ରୀଯୁକ୍ତ ପ୍ରଧାନଙ୍କୁ ଆମର ଅନୁରୋଧ ଦୟାକରି ବିଭ୍ରାନ୍ତିକର ତଥ୍ୟ ଦେଇ
ଲୋକହସା ହେବାରୁ କ୍ଷାନ୍ତ ରୁହନ୍ତୁ ।