ହିଟ୍ ୱେଭ ପ୍ରଭାବ: ୮୯ ଜଣ ଅଂଶୁଘାତରେ ଆକ୍ରାନ୍ତ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୮୯ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଜଣେ ମୃତ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର, ୨୨/୦୪/୨୦୨୪: ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ହିଟ୍ ୱେଭ ଜାରି ରହିଛି। ଏଥିରେ ରାଜ୍ୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୮୯ ଜଣ। ୧୬ଟି ଜିଲ୍ଲାରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ, ଖୋର୍ଦ୍ଧାରୁ ୧୨ ଜଣ, ଅନୁଗୁଳରୁ ୯ ଜଣ, ମୟୂରଭଞ୍ଜ ଓ ଝାରସୁଗୁଡ଼ାରୁ ୭ ଜଣ ଲେଖାଏଁ ଏବଂ ସମ୍ବଲପୁରରୁ ୫ ଜଣ ଅଂଶୁଘାତରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୧୨ ଜଣ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଶ୍ଚିତ କରାଯାଇନାହିଁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି।