ଓଡ଼ିଶାରେ ରୁବେଲା ଭାଇରସ୍ ଆତଙ୍କ

ନବରଙ୍ଗପୁର ଜିଲ୍ଲାରେ ଦୁଇ ଜଣ ରୁବେଲା ସଂକ୍ରମିତ ପଜିଟିଭ ଚିହ୍ନଟ ହୋଇଛନ୍ତି।

‘ହୁ’ ଟିମର ଅନୁଧ୍ୟାନ

ଭୁବନେଶ୍ବର, ୦୮/୦୫/୨୦୨୪: ଓଡ଼ିଶାରେ ଦେଖାଦେଇଛି ରୁବେଲା ଭାଇରସ୍। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ପୋଡାଲଗୁଡା ଗାଁର ୨ ଜଣ ରୁବେଲା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି।

କିଛି ଦିନ ପୂର୍ବରୁ ଆକ୍ରାନ୍ତମାନେ ଜ୍ୱର ଥଣ୍ଡା କାଶରେ ପୀଡିତ ହେବା ସହ ଶରୀରରେ ଘିମିରି ସଦୃଶ୍ୟ ହୋଇଥିଲା। ତେଣୁ ଏପ୍ରିଲ ୨୯ ତାରିଖରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ୫ ଜଣ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ଆଇସିଏମ୍ଆରକୁ ପଠାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରୁବେଲା ପଜିଟିଭ୍ ସଂକ୍ରମିତ ଜଣା ପଡିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଳୟ ତ୍ରିପାଠୀ କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଆଶା କର୍ମୀମାନେ ସଚେତନତା ସୃଷ୍ଟି କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଏକ ଟିମ୍ ଏବଂ ଜିଲ୍ଲା ଡାକ୍ତରୀ ଦଳ ପୋଡାଲଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାବ୍ୟତୀତ ରୁବେଲା ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି। ଯେହେତୁ ସଂକ୍ରମିତ ବ୍ୟକ୍ତି ମାନେ ଛିଙ୍କିବା କିମ୍ବା କାଶ କରିବା ସମୟରେ ବାୟୁବାହିତ ଡ୍ରପଲେଟ୍ ଦ୍ୱାରା ରୁବେଲା ବ୍ୟାପିଥାଏ, ତେଣୁ ରୁବେଲା ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇ ପିଲାଙ୍କୁ ଆଇସୋଲେଟ୍ କରାଯାଇଛି।