ଏୟାର ଇଣ୍ଡିଆରେ ଅଚଳାବସ୍ଥା

ଏୟାର ଇଣ୍ଡିଆର ୮୬ ବିମାନ ଉଡାଣ ବାତିଲ ହୋଇଯାଇଛି।

ସମୂହ ଛୁଟିରେ ୩୦୦ କ୍ରିଉ ମେମ୍ବର

ନୂଆଦିଲ୍ଲୀ, ୦୮/୦୫/୨୦୨୪ : ଏୟାର ଇଣ୍ଡିଆରେ ଦେଖାଦେଇଛି ଅଚଳାବସ୍ଥା। ୮୦ରୁ ଉର୍ଦ୍ଧ୍ଵ ବିମାନ ଚଳାଚଳ ସେବା ବାତିଲ୍। ସମୂହ ଛୁଟିରେ ଅଛନ୍ତି ୩୦୦ ବରିଷ୍ଠ କ୍ରିଉ ମେମ୍ବର। ଏୟାର ଇଣ୍ଡିଆ ଏକ୍ସପ୍ରେସର ୮୬ଟି ବିମାନର କେବିନ୍ କ୍ରୁ ମେମ୍ବରମାନେ ସାମୂହିକ ଭାବେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଥିବାରୁ ଏହାକୁ ବାତିଲ କରାଯାଇଛି। ଏହା ସହ କର୍ମଚାରୀମାନେ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ମଧ୍ୟ କରି ଦେଇଛନ୍ତି। ଯାହା ଫଳରେ ଅନ୍ତର୍ଜାତୀୟ ଏବଂ ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରି କର୍ମଚାରୀମାନେ ଏହି ଛୁଟିରେ ଅଛନ୍ତି।

ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଘଟଣା ପଛର କାରଣ ବୁଝିବା ପାଇଁ ଆମେ କର୍ମଚାରୀମାନଙ୍କ ସହ ଯୋଗାଯୋଗ କରୁଛୁ। ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ। ବାତିଲ ହୋଇଥିବା ଉଡାଣ ପାଇଁ ଯାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ରିଫଣ୍ଡ କିମ୍ବା ଅନ୍ୟ ତାରିଖକୁ ପୁନଃନିର୍ଦ୍ଧାରଣ କରିବାକୁ ଦିଆଯିବ।