ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ଭୋଟରଙ୍କ ମନ ଜିଣିବା ପାଇଁ ଆଜି ହେଉଛି ଶେଷ ଦିନ।

୪ ଲୋକସଭା, ୨୮ ବିଧାନସଭା ଆସନରେ ହେବ ମତଦାନ

ଭୁବନେଶ୍ବର,୧୧/୦୫/୨୦୨୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ଭୋଟରଙ୍କ ମନ ଜିଣିବା ପାଇଁ ଆଜି ହେଉଛି ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ସରିବ ପ୍ରଚାର। ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନେତାଙ୍କ ସହ ସାଧାରଣ ଜନତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ଜନତା। ଏ ନେଇ ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନଙ୍କ ହାତରେ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ସବୁ ପ୍ରକାର ପନ୍ଥା ଆପଣାଇଛନ୍ତି। ପ୍ରାର୍ଥୀ ମାନେ ବିଭିନ୍ନ ଜନ ସମାବେଶ ଆୟୋଜନ କରିବା ସହ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଓ ରୋଡ୍ ସୋ ମଧ୍ୟ କରୁଛନ୍ତି।

ଆଉ ଦୁଇ ଦିନ ପରେ ଅର୍ଥାତ ମେ ୧୩ରେ ରାଜ୍ୟରେ ମତଦାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ଯଥାକ୍ରମେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ମତଦାନ ହେବ। ମେ ୧୩ରେ ଓଡ଼ିଶା ବ୍ୟତୀତ ଅନ୍ୟ ୯ଟି ରାଜ୍ୟ ଓ ଜାମ୍ମୁ-କଶ୍ମୀରରେ ମତଦାନ ହେବ। ମୋଟ ୯୬ଟି ଲୋକସଭା ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ବିହାରର ୫ଟି ଏବଂ ଝାଡଖଣ୍ଡରେ ୪ଟି ଆସନରେ ମତଦାନ ହେବ।