ଶେଷ ଦିନରେ ମୋଦି ବନାମ ପାଣ୍ଡିଆନ

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ତାରିଖ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେଡି ନେତା ଭିକେ ପାଣ୍ଡିଆନ ଖୁବ ଜୋରସୋରରେ ପ୍ରଚାର କରିଛନ୍ତି।

ମୋଦିଙ୍କ ରଣହୁଙ୍କାର, ପାଣ୍ଡିଆନଙ୍କ ଶକ୍ତପ୍ରହାର

ଭୁବନେଶ୍ବର, ୧୧/୦୫/୨୦୨୪: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ଦିନ ଥିବା ବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଛନ୍ତି। ବିଜେପିର ଖୋଦ ଶୀର୍ଷ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ପ୍ରଚାର କରିଛନ୍ତି। ପ୍ରଚାରରେ ଏକ ପ୍ରକାର ମୋଦି ବନାମ ନବୀନ ପ୍ରତିଛବି ଦେଖାଦେଇଛି।

ଗତକାଲିଠାରୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରେ ଭୁବନେଶ୍ବରରେ ରୋଡ୍ ସୋ କରିଥିବା ବେଳେ ଦ୍ୱିତୀୟ ଦିନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡରେ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ସବୁଠି ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି ମୋଦି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷ ଭାବେ ଟାର୍ଗେଟ ନକରି ସିଧାସଳଖ ଟାର୍ଗେଟ କରିଛନ୍ତି। ନବୀନଙ୍କ ଉପରେ ଖୁବ ବର୍ଷିଛନ୍ତି ମୋଦି।

ମୋଦି ଜନତାଙ୍କୁ ପ୍ରଶ୍ନ କରି କହିଛନ୍ତି ବର୍ଷ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଓଡ଼ିଶାବାସୀ ତାଙ୍କ ଉପରେ ସନ୍ତୁଷ୍ଟ ନୁହଁନ୍ତି। କାରଣ ସେ ଓଡ଼ିଆ କହିବାକୁ ସକ୍ଷମ ନୁହଁନ୍ତି। ମୁଖ୍ୟମନ୍ତ୍ରୀ ସାର୍ବଜନୀନ ମଞ୍ଚରୁ କାଗଜ ନ ପଢ଼ି ଗୋଟିଏ ଜିଲ୍ଲା ଓ ମୁଖ୍ୟାଳୟର ନାମ ମଧ୍ୟ କହିପାରିବେ ନାହିଁ। ଯେଉଁ ମୁଖ୍ୟମନ୍ତ୍ରୀ ବିନା କାଗଜପତ୍ରରେ ଜିଲ୍ଲାର ନାମ ମଧ୍ୟ ନେଇପାରିବେ ନାହିଁ, ସେହି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ କି? ପିଲାଙ୍କ ଭବିଷ୍ୟତ ପାଇଁ ଆପଣ ତାଙ୍କୁ ବିଶ୍ୱାସ କରିପାରିବେ କି? ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିଛନ୍ତି, ଓଡ଼ିଶା ସରକାର ଏଭଳି ଜଣେ ବ୍ୟକ୍ତିଙ୍କୁ ଆଉଟସୋର୍ସ୍ କରିଛନ୍ତି, ଯିଏ ରାଜ୍ୟ ଓ ରାଜ୍ୟବାସୀଙ୍କ ବିଷୟରେ ବୁଝିପାରୁନାହାନ୍ତି। ଓଡ଼ିଶାରେ ଜଣେ ସୁପର ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରତିନିଧି ଓ ବିଧାୟକଙ୍କ ଉପରେ ଭରସା ରଖିଛନ୍ତି। ଓଡ଼ିଶାରେ ଗୁଜୁରାଟଠାରୁ ୧୦୦ ଗୁଣ ଅଧିକ ଖଣିଜସମ୍ପଦ ଅଛି। କିନ୍ତୁ ଗୁଜୁରାଟଠାରୁ ଓଡିଶା ଆଜି ପଛୁଆ। ମୁଁ ପାଞ୍ଚ ବର୍ଷ ମାଗୁନାହିଁ। ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି। ଏବେ ଓଡ଼ିଶା ଏକ ନମ୍ବର ରାଜ୍ୟ ହେବା ସମୟ ଆସିଛି। ଯେଉଁ ବ୍ୟକ୍ତି ଓଡ଼ିଶା ମାଟି ଓ ଜନତାଙ୍କ ସହ ଜଡ଼ିତ, ସେ ଏହାର ମୁଖ୍ୟମନ୍ତ୍ରୀ ହେବା ଦରକାର। ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଲୋକମାନେ ଆଗେଇ ଆସିବା ଉଚିତ ଏବଂ ଜାତୀୟ ସ୍ତରରେ ବିଜେପିକୁ ୪୦୦ରୁ ଅଧିକ ଆସନ ହାସଲ କରିବାରେ ସାହାଯ୍ୟ କରିବା ଉଚିତ। ଏତେ ବର୍ଷ ଧରି ବିଜେଡି ଶାସନ କରିଥିଲେ ମଧ୍ୟ ରତ୍ନଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗରେ ଚୁପ୍ ରହିଛି। ଓଡ଼ିଶାରେ ବିଜେପି ସରକାର ଗଠନ କଲେ ପ୍ରଥମେ ରତ୍ନଭଣ୍ଡାର ତାଲା ଖୋଲାଯାଇ ମୂଲ୍ୟବାନ ଅଳଙ୍କାର ତାଲିକା ପ୍ରସ୍ତୁତ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ମୋଦିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇରେ ନିର୍ବାଚନ ପ୍ରଚାର କରିବା ସମୟରେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ କହିଛନ୍ତି, ବହୁତ ବଡ଼ ବଡ଼ ନେତା ବର୍ତ୍ତମାନ ଓଡ଼ିଶାକୁ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିବା ପାଇଁ, ଆମ ନବୀନ ବାବୁଙ୍କ ଶକ୍ତି ହେଉଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀ। ଓଡ଼ିଶାରେ ଟୁରିଷ୍ଟମାନଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ଆଗରୁ ଆସୁନଥିଲେ, ଏବେ କେବଳ ନିର୍ବାଚନ ପାଇଁ ଆସୁଛନ୍ତି। ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲାରୁ ୩୦ ଜିଲ୍ଲାପରିଷଦ ନିର୍ବାଚନ ହାରିଥିଲା ବିଜେପି। ବାରମ୍ବାର ମୋଦି ଓଡ଼ିଶା ଆସିବା ଫଳରେ ନେତା ଓ କର୍ମୀଙ୍କୁ ବୁଷ୍ଟର ମିଳିବ, ହେଲେ ନିର୍ବାଚନ ହାତେଇ ପାରିବ ନାହିଁ। ଗୁଜରାଟରେ ବିଜେପି ଶାସନ ବହୁଦିନ ଧରି ଚାଲିଛି। ନିଜେ ପ୍ରଧାନମନ୍ତ୍ରୀ ବହୁଦିନ ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟକୁ ୧ ନମ୍ୱର କରିପାରିଲେ କି ? ଗୁଜରାଟରେ ଅପପୁଷ୍ଟି ୪୦ ପ୍ରତିଶତ ଓଡ଼ିଶାରେ ୨୯ ପ୍ରତିଶତ। ରକ୍ତହୀନତା ହ୍ରାସରେ ଗୁଜୁରାଟର ସ୍ଥାନ ୮୦ ପ୍ରତିଶତ ଓଡ଼ିଶାର ସ୍ଥାନ ୬୪ ପ୍ରତିଶତ। ମୁଣ୍ଡପିଛା ଋଣରେ ଓଡ଼ିଶାଠାରୁ ଗୁଜୁରାଟ ଅଧିକ। ଓଡ଼ିଶା ପିଲା ଡିଜିଟାଲ ବୋର୍ଡରେ ପାଠ ପଢ଼ୁଛନ୍ତି ଗୁଜୁରାଟରେ ଏବେ ବି ବ୍ଲାକବୋର୍ଡରେ ପଢ଼ୁଛନ୍ତି। ଓଡ଼ିଶାକୁ ୧ ନମ୍ୱର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଥେଷ୍ଟ
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱରେ ଏକ ନମ୍ୱର। ମହିଳା ସଶକ୍ତିକରଣରେ ଓଡ଼ିଶା ଏକ ନମ୍ୱର। ପ୍ରଧାନ ମନ୍ତ୍ରୀ ଓଡ଼ିଶାରେ କେତେ ପ୍ରକଳ୍ପ ଉଦ୍‍ଘାଟନ କରିଛନ୍ତି କହିବେ କି ? ୨୦୧୪, ୨୦୧୯ରେ ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଲେ, କହିଥିଲେ ତେଲ ଦର କମେଇବା ପାଇଁ, ତେଲଦର କମୁଛି କି ? ଏଲ୍‍.ପି.ଜି. ଦର କମୁଛି କି ? ବିଜେପି ସରକାର କଥା ସହିତ ଦରଦାମ ବି ବଢ଼ି ଚାଲିଛି। ନବୀନ ବାବୁ ମାଗଣା ବିଜୁଳି ଦେଉଛନ୍ତି ବୋଲି ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି, ସେମାନେ କହୁଛନ୍ତି ଆମେ ସୋଲାର ପାନେଲ ଦେବୁ। ଜୁନ ୯ ତାରିଖ ୧୧.୩୦ ରୁ ୧.୦୦ ମଧ୍ୟରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସନ୍ଧ୍ୟାବେଳେ ନିର୍ବାଚନ ଇସ୍ତାହାର ମନ୍ତ୍ରୀମଣ୍ଡଳରେ ପାସ୍‍ ହେବ। ଆପଣଙ୍କ ଦଳ ସରକାର ଗଠନ କରିବେ ବୋଲି ଆପଣଙ୍କ ବିଶ୍ୱାସ ନାହିଁ କି ଆପଣଙ୍କ କର୍ମୀମାନଙ୍କ ବିଶ୍ୱାସ ନାହିଁ। ବଡ଼ ବଡ଼ ନେତାମାନେ ଆସି ବିରୋଧୀ ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ବୃଥା ଚେଷ୍ଟା କରୁଛନ୍ତି। ବିଜୁ ଜନତା ଦଳର କର୍ମୀର ଉଦ୍ୟମ ଓ ନିଷ୍ଠା ଆଗରେ ଦୁନିଆର ସବୁ ଶକ୍ତି ହାର ମାନିବ।