ରତ୍ନଭଣ୍ଡାର ପ୍ରସଙ୍ଗ: ମୋଦିଙ୍କୁ ଲେଖାଶ୍ରୀଙ୍କ ଜବାବ

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମୋଦିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ଲେଖାଶ୍ରୀ

ରାଜନୈତିକ ଫାଇଦା ପାଇଁ ରତ୍ନଭଣ୍ଡାର ମୁଖ୍ୟ ପ୍ରସଙ୍ଗ: ଲେଖାଶ୍ରୀ

ଭୁବନେଶ୍ବର, ୧୧/୦୫/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ତେବେ ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ରାଜନୀତି ପାଇଁ ଏକ ମୁଦ୍ଦା ରଖିଛନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଲେଖାଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ଦେଇ କହିଛନ୍ତି ଯେ, ୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ଯାଇଥିଲା। ଏହି ଅବଧି ମଧ୍ୟରେ ବିଜେପିର ଶ୍ରୀ ମନମୋହନ ସାମଲ ଓ ବିଶ୍ୱଭୂଷଣ ହରିଚନ୍ଦନ ୯ ବର୍ଷ ମନ୍ତ୍ରୀ ଥିଲେ, ହେଲେ ଏହାକୁ ଖୋଲିନଥିଲେ। ରତ୍ନଭଣ୍ଡାର ପ୍ରସଙ୍ଗକୁ କାହିଁକି ଉଠାଇବା, ସେ ନେଇ ମୁଁ ବିଜେପିରେ ଥିବା ବେଳେ ପ୍ରଶ୍ନ କଲେ ନେତୃବୃନ୍ଦ କୁହନ୍ତି, ଏହା କେବଳ ରାଜନୈତିକ ମୁଦ୍ଦା। ନିର୍ବାଚନ ଆସିଲେ କିମ୍ବା ରାଜନୀତିକୁ ଶୋଚନୀୟ ଭାବେ ହାରିବାକୁ ଯାଉଥିଲେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ଓଡ଼ିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ। ଏକଥା ମୁଁ ଅତି ନିକଟରୁ ଦେଖିଛି। କିଛି ରାଜନୈତିକ ଫାଇଦା ମିଳିବା ଆଶାରେ ମିଛ କଥା କହିବାକୁ ସଭିଙ୍କୁ ବାଧ୍ୟ କରାଯାଏ। ଦୁର୍ଭାଗ୍ୟର କଥା, ଏହି ପ୍ରସଙ୍ଗକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଉଠାଇଛନ୍ତି। ଯେତେବେଳେ ଆସନ୍ତା ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଓଡ଼ିଶା ବିଜେପି ନେତାଙ୍କ ମନୋବଳ ବଢାଇବାକୁ ସହାନୁଭୂତି ପାଇବା ପାଇଁ ଏହା କେବଳ ଏକ ଚେଷ୍ଟା। ଲେଖାଶ୍ରୀ ମୋଦିଙ୍କୁ ଆକ୍ଷେପ କରି କହିଛନ୍ତି ଯେ, କିଛି ରାଜନେତା ନିର୍ବାଚନ ବେଳେ ଟୁରିଷ୍ଟ ଭଳି ଆସନ୍ତି କିନ୍ତୁ ପରେ ଦେଖାଦିଅନ୍ତିନି, ଆଉ କିଏ ବର୍ଷ ବର୍ଷ ଧରି ଓଡିଶାବାସୀଙ୍କ ସୁଖ ପାଇଁ କାମ କରି ଚାଲନ୍ତି।