ନବୀନ ଗ୍ୟାରେଣ୍ଟିରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ: ବିଜେଡି

ନବୀନଙ୍କ ୨୪ ଗ୍ୟାରେଣ୍ଟି ସବୁ ଗ୍ୟାରେଣ୍ଟି ଠାରୁ ଉର୍ଦ୍ଧ୍ୱରେ। ଗ୍ୟାରେଣ୍ଟି ସଂକ୍ରାନ୍ତରେ ସୂଚନା ଦେଲେ ବିଜେଡିର ତିନି ମୁଖପାତ୍ର।

୨୦୩୪ ସୁଦ୍ଧା ଓଡିଶା ହେବ ଏକ ନମ୍ବର ରାଜ୍ୟ

ଭୁୁବନେଶ୍ୱର, ୧୧/୦୫/୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ୧୦୦ ବର୍ଷ ପୂରଣ ହେବାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ ୨୦୩୪ ସୁଦ୍ଧା ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ଇସ୍ତାହାରରେ ଦିଆଯାଇଥିବା ୨୪ଟି ନବୀନ ଗ୍ୟାରେଣ୍ଟି ବିଷୟରେ ଉଲ୍ଲେଖ କରି ଏହା କହିଛନ୍ତି ବିଜେଡି ଇସ୍ତାହାର କମିଟିର ଆବାହକ, ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ । ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁଲତା ଦେଓ ଉପସ୍ଥିତ ଥିଲେ ।

ଗଣମାଧ୍ୟମକୁ ସମ୍ବୋଧିତ କରି ଡ. ଅମର ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ୨୪ଟି ଗ୍ୟାରେଣ୍ଟି ଅନ୍ୟ ସମସ୍ତ ଗ୍ୟାରେଣ୍ଟି ଠାରୁ ଉର୍ଦ୍ଧ୍ୱରେ । ଓଡିଶାର ସାଢେ ୪ କୋଟି ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ରହିଛି । ଏହା ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ହେବା ଦିଗରେ ଆଗେଇ ନେଇଯିବ ଏବଂ ୨୦୩୪ ସୁଦ୍ଧା ଆମେ ଏହି ଲକ୍ଷ୍ୟ ହାସଲ କରିବୁ ।

ଯେତେବେଳେ ଆମେ ୨୦୩୪ରେ ପହଞ୍ଚିବା ସେତେବେଳେ ଓଡ଼ିଶା ସବୁ କ୍ଷେତ୍ରରେ ଓ ସୂଚକାଙ୍କରେ ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିବ । ଯୁବ ଓଡ଼ିଶା- ନବୀନ ଓଡ଼ିଶା, କୃଷକ ଓ ଘରୋଇ ହିତାଧିକାରୀଙ୍କ ପାଇଁ ମାଗଣା ବିଜୁଳି, ସଶକ୍ତ ମହିଳାଙ୍କ ଓଡ଼ିଶା- ନବୀନ ଓଡ଼ିଶା, କୃଷକ ଓଡ଼ିଶା- ନବୀନ ଓଡ଼ିଶା, ଆଦିବାସୀ ସଶକ୍ତୀକରଣ, ଶ୍ରମିକ ଓଡ଼ିଶା- ନବୀନ ଓଡ଼ିଶା, ମଧ୍ୟବିତ୍ତ, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ସଂଖ୍ୟାଲଘୁ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଆଦି ସମସ୍ତଙ୍କ ପାଇଁ ଅର୍ଥନୈତିକ ଅଭିବୃଦ୍ଧି, ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ୨୪ଟି ନବୀନ ଗ୍ୟାରେଣ୍ଟି ଉପରେ ସେ ଆଲୋକପାତ କରିଥିଲେ । ଭିତ୍ତିଭୂମି ଏବଂ ଯୋଗାଯୋଗ, କ୍ରୀଡ଼ାର ବିକାଶ, ବ୍ୟାପକ ଗ୍ରାମୀଣ ସୁବିଧା ଏବଂ ସେବା, ଅନ୍ତର୍ଭୁକ୍ତି ସହରୀକରଣ, ଭାଷା ହିଁ ଭବିଷ୍ୟତ – ଭାଷା ଏବଂ ସଂସ୍କୃତି, ଖାଦ୍ୟ ସୁରକ୍ଷା, ଆଞ୍ଚଳିକ ଅସମାନତା, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଏବଂ ସୁଶାସନ ଆଦି ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ଅବଗତ କରିଥିଲେ ।

ଆହୁରି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ୟାରେଣ୍ଟି ବିଷୟରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ପଟ୍ଟନାୟକ ଚାଷୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ସମସ୍ତଙ୍କ ପାଇଁ ବିଏସକେୱାଇ ନବୀନ କାର୍ଡ, ମଧ୍ୟବିତ୍ତଙ୍କୁ ବାସଗୃହ, ଖାଦ୍ୟ, ସ୍ୱାସ୍ଥ୍ୟ, ଶକ୍ତି ଓ ପରିବହନ ଗ୍ୟାରେଣ୍ଟି ଏବଂ ଯୁବ ବଜେଟ୍ ଅଧୀନରେ ଯୁବବର୍ଗଙ୍କୁ ୧୦ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରୀମାନଙ୍କ ପାଇଁ ନୂଆ-ଓ ବୃତ୍ତି ୧୪,୦୦୦ ଟଙ୍କା ଏବଂ ଛାତ୍ରଙ୍କ ପାଇଁ ୧୨,୦୦୦ ଟଙ୍କାକୁ ବୃଦ୍ଧି, କୃଷକ ବିକାଶ, ଶ୍ରମିକ କଲ୍ୟାଣ, ମଧ୍ୟମବର୍ଗଙ୍କ ସହାୟତା ଲାଗି ଶକ୍ତି ସୁରକ୍ଷା, ଶିକ୍ଷା ସୁରକ୍ଷା, ଆଶ୍ରୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପରିବହନ ନିରାପତ୍ତା ଆଦି ସଂକ୍ରାନ୍ତରେ ସେ ସୂଚନା ଦେଇଥିଲେ । ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସହିତ ଓଡ଼ିଶା କିପରି ନୂଆ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଆଗକୁ ଯିବ ସେ ବିଷୟରେ କହିଥିଲେ । ଓଡ଼ିଶାରେ ଯୋଗାଯୋଗ ବ୍ୟତୀତ ଭିତ୍ତିଭୂମି ଏବଂ ବୃହତ୍‍ ସହରାଞ୍ଚଳ କ୍ଲଷ୍ଟର ଦିଗ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ଶ୍ରୀମତୀ ସୁଲତା ଦେଓ ମିଶନ ଶକ୍ତି ଏସଏଚଜି ସଦସ୍ୟାମାନଙ୍କୁ କିପରି ଗ୍ୟାରେଣ୍ଟି ପେନସନ ଏବଂ ୧୫ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ମିଳିବ ସେ ବିଷୟରେ କହିଥିଲେ । ଦିବ୍ୟାଙ୍ଗମାନଙ୍କୁ କିପରି ସଶକ୍ତ ଓ ପ୍ରୋତ୍ସାହିତ କରାଯିବ ତାହା ଉପରେ ଆଲୋକପାତ କରିବା ସହିତ କ୍ରୀଡ଼ା ସୁବିଧା, ଗ୍ରାମ୍ୟ ଉନ୍ନୟନ ଓ ସେବା, ଭାଷା ଓ ସଂସ୍କୃତି ଓ ଖାଦ୍ୟ ନିରାପତ୍ତା ଆଦି ସମ୍ପର୍କରେ ସେ କହିଥିଲେ ।

ଡକ୍ଟର ସସ୍ମିତ ପାତ୍ର ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ପାଇଁ ନବୀନ ଗ୍ୟାରେଣ୍ଟି ଯୋଜନାରେ ଦିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ୧୦,୦୦୦ ଅନୁସୂଚିତ ଜାତିର ଯୁବକଙ୍କୁ ସ୍ୱରୋଜଗାର ପାଇଁ ୧ ଲକ୍ଷ ଟଙ୍କା କରି ଅନୁଦାନ ଦେବା ପାଇଁ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଅନୁରୂପ ଭାବେ ୧୦୦୦ ଏସଟି ଓ ଓବିସି ଯୁବକଙ୍କ ପାଇଁ ମଧ୍ୟ ସ୍ୱରୋଜଗାର ଲାଗି ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ଆଞ୍ଚଳିକ ଅସମାନତା କିପରି ହ୍ରାସ ପାଇବ ଏବଂ ସମାନ ଅଭିବୃଦ୍ଧି ସୁନିଶ୍ଚିତ କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ । ସେ ୫-ଟି ମାଧ୍ୟମରେ
ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ସୁଶାସନ ସମ୍ବନ୍ଧୀୟ ପ୍ରସଙ୍ଗଗୁଡିକର ସମାଧାନ ଉପରେ ଆଲୋକପାତ କରିଥିଲେ ।