ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ

ଭୁବନେଶ୍ବର, ୧୨/୦୫/୨୦୨୪: ପୁଣି ଥରେ ଓଡ଼ିଶା ଆସିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏ ନେଇ ଓଡ଼ିଶାର ବଲାଙ୍ଗୀର ଗସ୍ତରେ ଆସିବେ ବୋଲି ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି, ମେ ୧୫ ତାରିଖରେ ଓଡ଼ିଶା ଆସି ରାହୁଲ ଗାନ୍ଧୀ ଏକ ବାଇକ୍ ରାଲିରେ ଯୋଗଦେବା ସହ ବଲାଙ୍ଗୀରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ, ରାହୁଲ ଗତ ମେ ୩ ତାରିଖରେ ରାୟଗଡ଼ା ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ଥିବା ବେଳେ ସେହି ଦିନ ରାୟବରେଲି ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାରୁ ସେ ତାଙ୍କ ଗସ୍ତ ବାତିଲ କରିଥିଲେ। କିନ୍ତୁ ସନ୍ଧ୍ୟାରେ ସେ ଭର୍ଚୁଆଲ୍ ମାଧ୍ୟମରେ ଜନସଭାକୁ ସମ୍ବୋଧିତ କରିଥିଲେ। ଏହା ପୂର୍ବରୁ ସେ ଏପ୍ରିଲ ୨୮ ରେ କଟକର ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।