ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡି

ଧର୍ମେନ୍ଦ୍ର ପ୍ରଧାନ ଆଗରୁ ମିଛୁଆ ଥିଲେ, ଏବେ ସୁପର୍ ମିଛୁଆ ହୋଇଗଲେଣି

ନବକଳେବର ପାଇଁ ସାଢେ ୬ କୋଟି ଟଙ୍କାର ସହଯୋଗ କରିଥିଲେ କେନ୍ଦ୍ର ସରକାର

ଭୁବନେଶ୍ୱର, ୧୪/୦୫/୨୦୨୪: ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ମିଛୁଆ ଥିଲେ ଏକଥା ଓଡିଶାବାସୀ ଜାଣିଥିଲେ । ଏବେ ତାଙ୍କର ପ୍ରମୋସନ୍ ହୋଇ ସେ ସୁପର ମିଛୁଆ ହୋଇସାରିଛନ୍ତି, ଏହା ପୁଣି ପ୍ରମାଣିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ବେଳେ କେନ୍ଦ୍ରୀୟ ସହାୟତା ନେଇ ସେ ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ମିଛ କହିଥିଲେ, ଯାହା ଧରାପଡିଯାଇଛି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ରାଜ୍ୟ ଟ୍ରେଜେରୀକୁ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ । ସତ କଥା ହେଲା, ୫୦ କୋଟି ନୁହେଁ ଆଇଟିଡିସି ଜରିଆରେ ୧୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ, ଏଥିରୁ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ୍‌, ନବକଳେବର ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ଥିଲା ସାଢେ ୬ କୋଟି ଟଙ୍କା ।

ସେ ଆହୁରି ମଧ୍ୟ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି, ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ମିଛ କହିବାକୁ ପଛାଉ ନାହାନ୍ତି ଶ୍ରୀ ପ୍ରଧାନ । ସଂସ୍କୃତି, ପରମ୍ପରା, ଐତିହ୍ୟ ଜପି ହେଉଥିବା ଲୋକଟି ଏଭଳି ମିଛ କିପରି କହିପାରେ? ଅସଲ କଥା ହେଲା, ଶ୍ରୀ ପ୍ରଧାନଙ୍କ ଭଳି ରାଜନେତା, ନିଜ ସ୍ୱାର୍ଥ ପାଇଁ ମହାପ୍ରଭୁଙ୍କ ନାଁକୁ ନେଇ ମଧ୍ୟ ମିଛ କହିପାରନ୍ତି । ଠିକ୍ ଯେମିତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମିଛ କହି ବିଭ୍ରାନ୍ତି ସୃଷ୍ଟି କରିଥିଲେ ।

ଆରମ୍ଭ ଦିନରୁ ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିଲେ ଶ୍ରୀ ପ୍ରଧାନ । ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରିବା ଦିନ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ କରାଇଥିଲେ । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀରେ ସେ ନିଜେ କହିଥିଲେ, ପରିକ୍ରମା ପ୍ରକଳ୍ପକୁ ସେ ବିରୋଧ କରୁଛନ୍ତି । ଏବେ ସାମ୍ବାଦିକ ସମ୍ମିଳନୀ କରି କହୁଛନ୍ତି, ପରିକ୍ରମା ପ୍ରକଳ୍ପ ପଛରେ ସେମାନଙ୍କର ସମର୍ଥନ ରହିଥିଲା । ଏଭଳି ଦୋମୁହାଁ ଚରିତ୍ର ହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଅସଲ ମାନସିକତାକୁ ପଦାରେ ପକାଉଛି । ଶ୍ରୀଯୁକ୍ତ ପ୍ରଧାନ ବୋଧହୁଏ ବୁଝିପାରୁନାହାନ୍ତି, ସେ କ’ଣ କରୁଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।