୧୬ରେ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ

ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ରୋଡ୍ ସୋ' କରିବେ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନିଶ୍ଚିତ କରିଛି କମିଶନରେଟ ପୋଲିସ

ଭୁବନେଶ୍ବର,୧୪/୦୫/୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ରାଜଧାନୀରେ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ରୋଡ୍ ସୋ’ କରିବେ। ରୋଡ୍ ସୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ, ବାୟାବାବା ମଠ ଦେଇ ରୁପାଲି ଛକରେ ଶେଷ ହେବ।

ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ନୟାପଲ୍ଲୀ, କ୍ୟାପିଟାଲ ଓ ସହିଦ ନଗର ଥାନା ଅଞ୍ଚଳରେ ଏହି ରୋଡ୍ ସୋ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ ଯେପରି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ସୁରୁଖୁରୁରେ ସମ୍ପନ୍ନ ହେବ ତାହା ଆମେ ସୁନିଶ୍ଚିତ କରିବୁ। ଜନସମାଗମ ହେଉଥିବା ସ୍ଥାନରେ ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବ। ଭିଆଇପିମାନେ ଜନସାଧାରଣଙ୍କୁ ସମ୍ବୋଧନ କରୁଥିବା ସମସ୍ତ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ କାର୍କେଡକୁ ମଧ୍ୟ ଘେରାବନ୍ଦୀ କରାଯିବ। ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦିଆଯିବ।