ପରଲୋକରେ ପୂର୍ବତନ ମନ୍ତ୍ରୀ ଡମ୍ବରୁଧରା ଉଲାକା

କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

୫ ଥର କଂଗ୍ରେସ ବିଧାୟକ ଥିଲେ ଡମ୍ବରୁଧର

ଭୁବନେଶ୍ବର, ୧୫/୦୫/୨୦୨୪: ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଡମ୍ବରୁଧରା ଉଲାକାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଡମ୍ବରୁଧର ଉଲାକା ରାୟଗଡ଼ା ଜିଲ୍ଲା ବିଷମ-କଟକରୁ ୫ ଥର କଂଗ୍ରେସ ବିଧାୟକ ଥିଲେ। ୧୯୭୪, ୧୯୭୭, ୧୯୯୫, ୨୦୦୪ ଓ ୨୦୦୯ରେ ସେ ଏହି ଆସନରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ପୁଅ ନୀଳମାଧବ ଉଲାକା କଂଗ୍ରେସ ଟିକେଟ ନ ମିଳିବାରୁ ବିଷମ-କଟକରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

ବିଧାୟକ ହେବା ସହ ସେ ଗୃହମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ, ଅବକାରୀ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ଜଳ ଓ ପରିମଳ ମନ୍ତ୍ରୀ ପଦରେ ମଧ୍ୟ ରହିଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।