ଆଜି ଆସୁଛନ୍ତି ହେଭି-ୱେଟ

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋରରେ ପ୍ରଚାରରେ ଲାଗି ପଡିଛନ୍ତି ହେଭି ୱେଟ ନେତା।

ଓଡ଼ିଶାରେ ହେବ ପ୍ରଚାର ମହାଲଢେଇ

ଭୁବନେଶ୍ବର, ୧୫/୦୫/୨୦୨୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ବ୍ୟସ୍ତ ହେଭି-ୱେଟ। ରାଜ୍ୟରେ ଚାଲିଛି ଘମାସନ ପ୍ରଚାର। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ ସ୍ତରର ନେତା। ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସୁଛନ୍ତି।

ସୂଚନା ମୁତାବକ, ଆଜି ଦିନ ୧୨ଟା ୫୦ରେ ଅମିତ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଗଞ୍ଜାମ ଜିଲ୍ଲାର ସୋରଡା ଗସ୍ତ କରିବେ। ସୋରଡାରେ ଦଳୀୟ ସମାବେଶରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେଠାରୁ ଅପରାହ୍ନ ସାଢ଼େ ୩ଟାରେ ସିଧା ବୌଦ୍ଧ ଯିବେ। ସେଠାରେ ପହଞ୍ଚି ଏକ ଦଳୀୟ ବୈଠକରେ ଯୋଗଦେବେ। ଏହାପରେ ସେ ସେଠାରୁ ଫେରି କଟକରେ ବିଶାଳ ରୋଡ୍ ସୋରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୫ଟା ୫୦ରୁ ୬ଟା ୪୦ ଯାଏ କଟକରେ ରୋଡ୍ ସୋ’ କରିବେ। ଗୋପବନ୍ଧୁ ଛକରୁ ବାଲୁବଜାର ପର୍ଯ୍ୟନ୍ତ ଏହି ରୋଡ୍ ସୋ ଚାଲିବ। ଏହାପରେ ଭୁବନେଶ୍ୱର ଫେରି ଦିଲ୍ଲୀ ଫେରିବାକୁ ଯୋଜନା ରହିଛି।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମଶାଳାରେ ଯୋଗଦେବେ। ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ଆସନ୍ତା ୧୬ ତାରିଖ ସକାଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚି ସିଧା ବଲାଙ୍ଗୀର ଯିବେ। ନିର୍ବାଚନୀ ସଭା ଓ ବାଇକ୍ ରାଲିରେ ଅଂଶଗ୍ରହଣ କରି ଦିଲ୍ଲୀ ଫେରିବାର ଯୋଜନା ରହିଛି। ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି।