କଣ୍ଟାବାଞ୍ଜିରେ ପାଣ୍ଡିଆନଙ୍କ ପ୍ରଚାର

କଣ୍ଟାବାଞ୍ଜି ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

‘ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଉଛି ବିଜେପି’

ଭୁବନେଶ୍ବର, ୧୬/୦୫/୨୦୨୪: ଆଜି କଣ୍ଟାବାଞ୍ଜିରେ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା କଣ୍ଟାବାଞ୍ଜି ଆସନରେ ପ୍ରଚାର କରିଛନ୍ତି ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀ ବିଜେପି ଦଳ କହୁଛି ସେମାନେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ। ସେମାନଙ୍କ ଭାଷାରେ ଯଦି ନବୀନ ବାବୁ ସ୍ୱଚ୍ଛ ନୁହନ୍ତି, ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣି ନାହାନ୍ତି। ଏହା କେବଳ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା କଥା। ମୁଖ୍ୟମନ୍ତ୍ରୀ ଆପଣଙ୍କ ବିଧାୟକ ପ୍ରାର୍ଥୀ ହୋଇଛନ୍ତି, ଆପଣମାନେ ଖୁସି ତ? ବୋଲି ପାଣ୍ଡିଆନଙ୍କ ପ୍ରଶ୍ନରେ ଜନତାଙ୍କ ହଁ ରେ ଚାରିଆଡେ ପ୍ରକମ୍ପିତ ହେଉଥିଲା।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ମୋର ଆଶା, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ତୁରେଇକେଲାରେ ରେକର୍ଡ ଭାଙ୍ଗି ନୂଆ ଓଡ଼ିଶାର ବିନ୍ଧାଣିଙ୍କୁ ଆଶୀର୍ବାଦ କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାହା ୧୫ ବର୍ଷରେ ପାଇବାର ଥିଲା ଏବେ ୧୫ ମାସ ମଧ୍ୟରେ ପାଇବେ। ଆସନ୍ତୁ ସମସ୍ତେ ମିଶି କଣ୍ଟାବାଞ୍ଜିକୁ ୧ ନମ୍ୱର କରିବା

ବିରୋଧୀ ରାଜନୀତିକୁ ଆସିଛନ୍ତି କ୍ଷମତା ପାଇଁ କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ସେବା ପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ସବୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଆସିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଚୟନ କଲେ। ତାଙ୍କ ହୃଦୟରେ ରହିଛି କଣ୍ଟାବାଞ୍ଜିର ବିକାଶ, କଣ୍ଟାବାଞ୍ଜି ବାସିନ୍ଦାଙ୍କ ଉନ୍ନତି। ନବୀନ ପଟ୍ଟନାୟକଙ୍କ ସରକାର ହେଉଛି ଆପଣମାନଙ୍କ ସରକାର। ଏ ସରକାରରେ ଆପଣମାନଙ୍କ ବହୁତ ବଡ଼ ଭୂମିକା ରହିଛି।

ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି। ଅନ୍ୟମାନେ ଆସି ବଡ଼ ବଡ଼ କଥା କହିବେ କିନ୍ତୁ କାମ କରିବେ ନାହିଁ। କହିଥିଲେ ଦରଦାମ୍‍ କମେଇବେ ବୋଲି, ଏଲ.ପି.ଜି. ପେଟ୍ରୋଲ, ଡିଜେଲ ଦର କମେଇବେ ବୋଲି, କମିଲା କି? ରୋଜଗାର ବଢ଼େଇବେ ବୋଲି କହିଥିଲେ, ବଢ଼ିଲା କି? ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବେ କହି ଦିନରେ ଲଣ୍ଠନ ଦେଖାଉଛନ୍ତି।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। କଣ୍ଟାବାଞ୍ଜିରେ ଉପକୃତ ହେବେ ୯୫ ପ୍ରତିଶତ ପରିବାର। ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରାଯିବ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ।

କର୍ମୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ, ଆପଣମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି ଓ ନବୀନ ବାବୁଙ୍କ ସେନା। ବାହାର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି। ତାକୁ ଆମେ କେବେ ସହିବା ନାହିଁ, ଉଚିତ ଜବାବ ଦେବା।