‘ବିରୋଧୀ ମିଛ କହି ପଳାଇବେ ପରେ ଖୋଜିଲେ ବି ମିଳିବେନି’

ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।

ପାଟଣାଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର, ୧୬/୦୫/୨୦୨୪: ଆଜି ବଲାଙ୍ଗୀର ଲୋକସଭା ଆସନର ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସରୋଜ ମେହେର ପ୍ରତିନିଧିତ୍ୱ କରୁଥିବା ପାଟଣାଗଡ଼ ବିଧାନସଭା ଆସନରେ ପ୍ରଚାର କରିଛନ୍ତି ପାଣ୍ଡିଆନ। ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଛନ୍ତି ପାଣ୍ଡିଆନ।

ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବାହାର ରାଜ୍ୟରୁ ବିଜେପିର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସୁଛନ୍ତି। ବହୁତ ବଡ଼ ବଡ଼ କଥା କହୁଛନ୍ତି। ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ଜାଣି ନାହାନ୍ତି। ଏମାନେ ମିଛ କଥା କହି ପଳାଇବେ ପରେ ଖୋଜିଲେ ବି ମିଳିବେନି।

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ନେବେ। ପ୍ରଥମ ତିନୋଟି ଦସ୍ତଖତ ହେବ, ୧- ଓଡ଼ିଶାବାସୀଙ୍କ ମାଗଣା ବିଜୁଳି। ଯାହା ଦ୍ୱାରା ପାଟଣାଗଡ଼ର ୯୦ ପ୍ରତିଶତ ପରିବାର ଉପକୃତ ହେବେ, ୨- ବି.ଏସ୍‍.କେ.ୱାଇ ନବୀନ କାର୍ଡରେ ସମସ୍ତେ ସାମିଲ ହେବେ, ୩- ୬୦ ବର୍ଷ ପରେ ମିଶନ ଶକ୍ତି ର ସଭ୍ୟ ଓ କର୍ମୀମାନଙ୍କ ପାଇଁ ପେନସନ୍‍ ସୁବିଧା ହେବ। ଏହି ତିନୋଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ। ସମସ୍ତଙ୍କ ମୁହଁରେ ହସ ଫୁଟାଇବ।

ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି। ମୁଣ୍ଡ ଖରାପ ହୋଇଗଲାଣି। ସେମାନେ କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ସୂର୍ଯ୍ୟ କିରଣରେ ମାଗଣା ବିଜୁଳି ଦେବେ। ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦିନରେ ଲଣ୍ଠନ ଦେଖାଉଛନ୍ତି। ବିଜେପିର ମିଛର ସୀମା ରହୁନାହିଁ।

୨୦୧୪ ଓ ୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ ଏମ୍‍.ଏସ୍‍.ପି. ବଢ଼ାଇବେ, ଏଲ୍‍.ପି.ଜି. କମାଇବେ, କିରୋସିନି, ଡିଜେଲ ଓ ପେଟ୍ରୋଲ ଦର କମାଇବେ, କିଛି କମାଇଲେ ନାହିଁ। ଏମାନଙ୍କ ଉପରେ ଭରସା ନାହିଁ। ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍ ଇତ୍ୟାଦି ଯୋଜନାରେ ମା’ମାନଙ୍କ ପାଇଁ ଦିଆଯାଇଥିବା ସବୁ ସୁବିଧା ବିଷୟରେ କହିଲେ ପାଣ୍ଡିଆନ।

ବାବା ହରିଶଙ୍କର ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା, ପାଟଣାଗଡ଼ ବାଇପାସ୍‍ ରାସ୍ତା ପାଇଁ ୧୪୦ କୋଟି ଟଙ୍କା ଏବଂ ପାଟଣାଗଡ଼ର ୯ଟି ପଞ୍ଚାୟତକୁ ପିଇବା ପାଣି ପାଇଁ ୧୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପାଟଣାଗଡ଼ର ପ୍ରତ୍ୟେକ ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି। ବେଲପଡ଼ାକୁ ଏନ୍‍.ଏସ୍‍.ସି. ମାନ୍ୟତା ମିଳିଛି।

ବିଧାୟକ ପ୍ରାର୍ଥୀ ସରୋଜ ବାବୁ ବିଗତ ୫ ବର୍ଷ ଭିତରେ ଆପଣଙ୍କ ପାଇଁ ବହୁତ କାମ କରିଛନ୍ତି। ସାଂସଦ ପ୍ରାର୍ଥୀ ଭୋଇ ବାବୁ ଏ ମାଟିର ପୁଅ, ସୁଖଦୁଃଖରେ ଆପଣଙ୍କ ପଛରେ ଛିଡ଼ାହେବେ। ଉଭୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ।