ଖଲ୍ଲିକୋଟ ହିଂସା: ତଦନ୍ତ କରିବ ଏସ୍ଆଇଟି

ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ତଦନ୍ତ କରିବ।

ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ ଏଡିଜି ଆର.କେ ଶର୍ମା

ଗଞ୍ଜାମ, ୧୭/୦୫/୨୦୨୪: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖା ଦେଇଥିବା ପ୍ରାକ୍ ନିର୍ବାଚନୀ ହିଂସା ଓ ହତ୍ୟା ଘଟଣାର ତଦନ୍ତ କରିବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି। ଏହି ହତ୍ୟା ଘଟଣାରେ ଏସ୍ଆଇଟି ଫରେନସିକ୍ ପ୍ରମାଣ ସଂଗ୍ରହ କରିବା ସହ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ଏବଂ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ। ଏହା ସହ ଏଡିଜି ରାଧାକୃଷ୍ଣ ଶର୍ମା ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ରାତିରେ ନିର୍ବାଚନୀ ପୋଷ୍ଟର ମରାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଖଲ୍ଲିକୋଟରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରା ଯାଇଥିବା ବେଳେ ୪ ଜଣ ପୋଲିସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଖଲିକୋଟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ।