ଭାରତୀୟ ମସଲା ଉପରେ ବ୍ୟାନ ଲଗାଇଲା ନେପାଳ

ସିଙ୍ଗାପୁର ଓ ହଂକଂ ପରେ ଏବେ ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଓ ଏମଡିଏଚ ଉପରେ ଆମଦାନୀ ଉପରେ ବ୍ୟାନ ଲଗାଇଛି ନେପାଳ।

ଏଭରେଷ୍ଟ ଓ ଏମଡିଏଚ ବ୍ରାଣ୍ଡ ମସଲାରେ ଇଥାଇଲିନ ଅକ୍ସାଇଡ ମିଶ୍ରଣ ଅଭିଯୋଗ

ନୂଆଦିଲ୍ଲୀ, ୧୭/୦୫/୨୦୨୪: ପ୍ରଥମେ ସିଙ୍ଗାପୁର ଓ ହଂକଂ ପରେ ଏବେ ଭାରତୀୟ ମସଲା ଉପରେ ବ୍ୟାନ ଲଗାଇଛି ନେପାଳ। ନେପାଳର ଖାଦ୍ୟ ପ୍ରଯୁକ୍ତି ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ମସଲାରେ କ୍ଷତିକାରକ ରାସାୟନିକ ପଦାର୍ଥ ଇଥାଇଲିନ ଅକ୍ସାଇଡର ବ୍ୟବହାର ନେଇ ମସଲାଗୁଡିକର ପରୀକ୍ଷଣ କରିଥିଲା। ଏହି ଉତ୍ପାଦଗୁଡ଼ିକରେ ଇଥାଇଲିନ୍ ଅକ୍ସାଇଡ ବ୍ୟବହାର କରା ଯାଉଥିବା ରିପୋର୍ଟରୁ ଜଣା ପଡିବା ପରେ ଏହି ନିଷେଧାଦେଶ ଜାରି କରାଯାଇଛି।

ସିଙ୍ଗାପୁର ପ୍ରଥମେ ଏହି ନିଷେଧାଦେଶ ଲାଗୁ କରିଥିଲା। ଏଥିରେ ଇଥିଲିନ୍ ଅକ୍ସାଇଡର ମାତ୍ରା ରହୁଥିବା ଦର୍ଶାଇ ଭାରତର ଏହି ଜଣାଶୁଣା ମସଲା ଉତ୍ପାଦ ଏଭରେଷ୍ଟ ଫିସ୍ କରି ମସଲାକୁ ବ୍ୟାନ କରିଥିଲା। ଏହା ପରେ ହଂକଂ ମଧ୍ୟ ପ୍ରସିଦ୍ଧ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଏବଂ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ଭାରତର ଏହି ଦୁଇ ମସଲା ବ୍ରାଣ୍ଡର ପରୀକ୍ଷଣ କରିଥିଲେ।

ଏହି ରିପୋର୍ଟକୁ ସ୍ୱୀକାର କରି ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ସାରା ଭାରତରେ ଥିବା ସେମାନଙ୍କ ଉତ୍ପାଦନ ୟୁନିଟରୁ ପ୍ରମୁଖ ମସଲା ବ୍ରାଣ୍ଡ୍ ଗୁଡ଼ିକର ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। ସ୍ପାଇସ୍ ବୋର୍ଡ ଅଫ୍ ଇଣ୍ଡିଆ ସିଙ୍ଗାପୁର, ହଂକଂ ଓ ନେପାଳକୁ ଭାରତୀୟ ମସଲା ରପ୍ତାନିର ନିରାପତ୍ତା ଏବଂ ଗୁଣବତ୍ତା ନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି।