ଆସୁଛି ବାତ୍ୟା ‘ରେମଲ’

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଉତ୍ତର ପୂର୍ବ ଦିଗରେ ଗତି କରିବ।

୨୫ରେ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର, ୨୧/୦୫: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଯାହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ପୂର୍ବାନୁମାନ ଅନୁଯାୟୀ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ। ବଙ୍ଗୋପସାଗରରେ ଉତ୍ତର ପୂର୍ବ ଦିଗରେ ଲଘୁଚାପ ଗତି କରିବ। ପରବର୍ତ୍ତୀ ସମୟ ଅର୍ଥାତ ୨୪ ତାରିଖ ସକାଳେ ଏହା ଘନୀଭୂତ ହୋଇ ଅବପାତ ସୃଷ୍ଟି କରିବ। ଏଥିପାଇଁ ୨୩ ତାରିଖରୁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟରେ ୨୪ ଓ ୨୫ ତାରିଖ ବେଳକୁ ବିଜୁଳି ସହ ଘଡଘଡି ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଯଦି ଏହା “ବାତ୍ୟା” ରୂପ ନିଏ ଏହାର ନାମ “ରେମଲ” ରହିବ, ଯାହାର ନାମକରଣ ଓମାନ ଦ୍ୱାରା କରାଯାଇଛି।