‘ମିଶନ ଶକ୍ତି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି’

କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର।

ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ: ପାଣ୍ଡିଆନ

ଭୁବନେଶ୍ୱର,୨୧/୦୫: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀର ଚମ୍ପୁଆ, କରଞ୍ଜିଆ, ପାଟଣା, ତେଲକୋଇ ଓ ଘସିପୁରା ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଶ୍ରୀ ପାଣ୍ଡିଆନଙ୍କୁ ସ୍ୱାଗତ କରି ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ ପଚାରିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି ? ‘ହଁ’ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳଗୁଡ଼ିକ ।

ସଭାଗୁଡ଼ିକରେ ଶ୍ରୀ ପାଣ୍ଡିଆନ ଜନଜାତି ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ କେତେ ଭଲ ପାଆନ୍ତି ଏବଂ ସେମାନଙ୍କ ପାଇଁ କ’ଣ କାମ କରିଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି । ଜନଜାତି ଭାଇଭଉଣୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦିଅନ୍ତି । ଅନ୍ୟ ରାଜ୍ୟମାନେ ଜନଜାତି ବଜେଟ କମାଇ କମାଇ ଚାଲିଛନ୍ତି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜନଜାତି ବଜେଟକୁ ବଢ଼ାଇ ଚାଲିଛନ୍ତି । ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାହିରାର ଉନ୍ନତି କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି । ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ା ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୁଲ୍ୟରେ କିଣିବା ପାଇଁ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଆପଣଙ୍କୁ କେହି ଠକି ପାରିବେ ନାହିଁ, ନବୀନ ବାବୁଙ୍କ ନଜର ରହିଛି । ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି ।

ଦଳୀୟ ସାଂସଦଙ୍କୁ ଜିତେଇବା ପାଇଁ ଅନୁରୋଧ କରି ସେ କହିଲେ ଯେ, ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି, ସବୁଥିରେ ମୁଣ୍ଡ ପୁରାଇବେ, ବିରୋଧ କରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ ।

ମହିଳାମାନଙ୍କ ସଶକ୍ତିକରଣ ବିଷୟ ଉପସ୍ଥାପନ କରି ସେ କହିଲେ ଯେ, ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି । କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଦେଉଛନ୍ତି । ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି । ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ଦିଆଯିବ ।

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସାରା ଓଡ଼ିଶା କହୁଛି । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ।

ସେ ପୁଣି କହିଥିଲେ ଯେ, କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି । ଏତେ ଭଲ କାମ ଦେଖି ବିରୋଧି ଦଳଙ୍କ ନିଦ ଭାଙ୍ଗିଗଲାଣି । ସେମାନେ ଏବେ ମିଛ କଥା କହି, ଅପପ୍ରଚାର କରିବାକୁ ଲାଗିଛନ୍ତି ।

ସେ କହିଥିଲେ ଯେ, ବିରୋଧୀ ବିଜେପି ନେତାମାନେ ଏଠାକୁ ଆସି ମିଛ କଥା କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣମାନଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ତା’ପରେ ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି । ସେମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି ।

ଓଡ଼ିଶାରେ ବିକାଶର ଚିତ୍ର ରଖି ସେ କହିଲେ ଯେ, ନବୀନ ବାବୁଙ୍କ ସରକାର ନିର୍ମାଣ କରିଥିବା ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି । ଏ ସବୁ ନୂଆ ଓଡ଼ିଶାର ନମୂନା । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ଆପଣମାନଙ୍କ ବୋଝ ହାଲକା କରବା ପାଇଁ ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ ।

ଆପଣମାନଙ୍କ ଗୋଟିଏ ଗୋଟିଏ ଭୋଟ ଆପଣଙ୍କ ଉନ୍ନତିର ରାସ୍ତା ଖୋଲିବ, ଆପଣଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବ, ବିଜୁ ଜନତା ଦଳକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ ।

କରଞ୍ଜିଆରେ ସେ କହିଲେ ଯେ ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ସମ୍ପର୍କ ବହୁତ ପୁରୁଣା ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି କରଞ୍ଜିଆର ବିକାଶକୁ ଆପଣମାନେ ଅନୁଭବ କରିପାରୁଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଏବେ ଘରେ ଘରେ ପିଇବା ପାଣିର ସୁବିଧା, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି । ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି ।

ପାଟଣାରେ ସେ କହିଲେ ଯେ, ମୁଁ ଆସିଥିଲି ଆପଣମାନଙ୍କର ଆବେଦନ ସବୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି । ଆପଣମାନଙ୍କ ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି । ମସଜିତ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି । ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି, ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା, କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା ଦିଆଯାଇଛି । ସବୁ ହାଇସ୍କୁଲର 5T ରୂପାନ୍ତରଣ ହୋଇଛି ।

ତେଲକୋଇରେ ସେ କହିଲେ ଯେ, ଗୁପ୍ତଗଙ୍ଗା ପାଇଁ ୨.୫୦ କୋଟିଗୁଣ୍ଡିଚା ଘାଇ ପାଇଁ ୨୦ ଲକ୍ଷ, ଆଇ.ଟି.ଆଇ. ବିଲ୍‍ଡିଙ୍ଗ ପାଇଁ ୬.୫୦ କୋଟି ଦିଆଯାଇଛି । ଜୁଆଙ୍ଗ ସ୍କୁଲକୁ Higher Secondary ସ୍କୁଲରେ ପରିଣତ କରାଯାଇଛି । ତେଲକୋଇ ନିର୍ବାଚନ ମଣ୍ଡଳୀର ୮୦ଟି ରାସ୍ତା ନିର୍ମାଣ ପାଇଁ ୫୭୦ କୋଟି ଟଙ୍କା ଦିଆଯାଇଛି । ସାରା ଓଡ଼ିଶାରେ ଆଭ୍ୟନ୍ତରୀଣ ରାସ୍ତା ପାଇଁ କୌଣସି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ଅନୁଦାନ । କାଳିଆ ପଞ୍ଚାୟତ ହାଟ ସମସ୍ୟାର ସମାଧାନ କରାଯିବ । ହାତିମୁଣ୍ଡା ଜଳସେଚନ ପ୍ରକଳ୍ପ କରାଯିବ ଓ ସଲାଇ କେନାଲ ରାସ୍ତାର ମରାମତି ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଘଷିପୁରାରେ କହିଲେ ଯେ, ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇ କାମ କରୁଛନ୍ତି । ଅନେକ ମଠ, ମନ୍ଦିର, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତି କରିଛନ୍ତି ।

କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତି ହେମ୍ୱ୍ରମ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସରଦାର ଓ ଘଷିପୁରା ବିଧାୟକ ପ୍ରାର୍ଥୀ ବଦ୍ରୀନାରାୟଣ ପାତ୍ର ପ୍ରମୁଖ ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କରି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ ।