ରାଜଧାନୀରେ ନବୀନଙ୍କ ହାଇଭୋଲଟେଜ୍ ରୋଡ୍ ସୋ

ଉତ୍ତର ଭୁବନେଶ୍ୱରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ରୋଡ୍ ସୋ।

ଉତ୍ତର ଭୁବନେଶ୍ୱରରେ ବିଶାଳ ଆୟୋଜନ

ଭୁବନେଶ୍ବର,୨୨/୦୫: ଆଜି କମାଣ୍ଡୋଙ୍କ ରୋଡ୍ ସୋ। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ ସେତିକି ଜୋର୍ ହେବାରେ ଲାଗିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷାରେ ଲାଗି ପଡିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଗାତାର ମାରାଥନ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ।

ଆଜି ଉତ୍ତର ଭୁବନେଶ୍ୱରରେ ନବୀନ କରିବେ ହାଇ ଭୋଲଟେଜ୍ ପ୍ରଚାର। ସନ୍ଧ୍ୟା ୬ଟାରେ ରେଣ୍ଟାଲ କଲୋନୀ ଓମଫେଡ୍ ଛକରୁ ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ପଟିଆ ଛକରେ ଶେଷ ହେବ ରୋଡ୍ ସୋ। ମଝିରେ ସାଲିଆ ସାହି ପେଟ୍ରୋଲ ପମ୍ପ ଛକରେ ନବୀନଙ୍କ ଉଦବୋଧନ କାର୍ଯ୍ୟକ୍ରମ ରହିଛି। ମେ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ନବୀନ। ପରେ ମେ ଫେୟାର ହୋଟେଲ ଦେଇ ଜୟଦେବ ବିହାର ରାସ୍ତାରେ ଗାଡି ଯାଇ ଜାଭିୟର ଛକ ଓ ବିଡିଏ ସାଇ ମନ୍ଦିର ନିକଟ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକ ଓ ଡମଣା ମାକ୍ସ ନିକଟରେ ଅଟକିବ ବସ୍ ଓ ସେଠାରେ ନବୀନ ସାଧାରଣ ଜନତାଙ୍କୁ ଭୋଟ୍ ପାଇଁ ଅପିଲ କରିବେ ଏବଂ ଉଦବୋଧନ ଦେବେ।

ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ହାଇଟେକ୍ ବସରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ୍ ସୋ କରିବେ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ବିଶାଳ ଆୟୋଜନ କରାଯାଇଛି। ସେହିପରି ଅପରାହ୍ନ ସାଢେ ୫ଟାରୁ ରୋଡ୍ ସୋ ଶେଷ ହେବା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିବ।