ମଧ୍ୟବିତ୍ତଙ୍କ ପାଇଁ ବିଜେଡିର ୫ ବଡ଼ ଘୋଷଣା

ମଧ୍ୟବିତ୍ତଙ୍କ ଉନ୍ନତିରେ ସହରର ଉନ୍ନତି: ପାଣ୍ଡିଆନ

‘ମଧ୍ୟବିତ୍ତ ସହରର ମେରୁଦଣ୍ଡ’

ଭୁବନେଶ୍ବର, ୨୨/୦୫: ମଧ୍ୟବିତ୍ତଙ୍କ ପାଇଁ ବିଜେଡି ନେଇଛି ଏକ ବଡ ପଦକ୍ଷେପ। ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ୫ଟି ବଡ ଘୋଷଣା। ସହରାଞ୍ଚଳରେ ରହୁଥିବା ମଧ୍ୟବିତ୍ତଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗୃହ ଓ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଜେଡି ମାନିଫେଷ୍ଟୋରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମଧ୍ୟବିତ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେଇ ବିଏସକେୱାଇ କାର୍ଡ ସମସ୍ତଙ୍କୁ ମିଳିବ ବୋଲି କହିଛନ୍ତି। ସହରାଞ୍ଚଳର ସବୁ ମଧ୍ୟବିତ୍ତଙ୍କୁ ମିଳିବ ବିଏସକେୱାଇ କାର୍ଡ। ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତମାନଙ୍କର ଗୃହ କିଣିବା ସ୍ୱପ୍ନ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏକ ବଡ ପଦକ୍ଷେପ। ସହରାଞ୍ଚଳରେ ଗୃହ କିଣିବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ଯୋଗାଇବେ ରାଜ୍ୟ ସରକାର। ଆର୍ଥିକ ଅଭାବ ପାଇଁ ମଧ୍ୟବିତ୍ତଙ୍କ ଶିକ୍ଷାରେ ଲାଗିବନି ରୋକ୍। ଉଚ୍ଚଶିକ୍ଷା ହାସଲ ପାଇଁ ଋଣ ନେଉଥିବା ମଧ୍ୟବିତ୍ତଙ୍କ ପାଇଁ ସୁଧରେ ମିଳିବ ରିହାତି। ଗମନାଗମନ ପାଇଁ କମ୍ ଟଙ୍କାରେ ଲକ୍ଷ୍ମୀ ଓ ମୋ ବସର ସେବା ପାଇବେ ସହରାଞ୍ଚଳବାସୀ। ନୂଆ-ଓ ଛାତ୍ରବୃତ୍ତିରେ ଏବେ ଯାଏଁ ୯୮ ପ୍ରତିଶତ ପିଲା ସାମିଲ ହୋଇଥିବା ବେଳେ ଆଗକୁ ଏହି ବୃତ୍ତିରାଶି ପରିମାଣ ବୃଦ୍ଧି କରାଯିବ। ଆଗକୁ ଛାତ୍ରଙ୍କୁ ୧୨ ହଜାର ଟଙ୍କା ଓ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ମିଳିବ।

ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀ କରି ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେବା ସହ କହିଛନ୍ତି ଯେ, ନୂଆ ଓଡ଼ିଶା ଗଠନରେ ମଧ୍ୟବିତ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ନବୀନ ପଟ୍ଟନାୟକ ମଧ୍ୟବିତ୍ତଙ୍କ ଉନ୍ନତି ପାଇଁ ଏହି ଘୋଷଣା କରିଛନ୍ତି। ମଧ୍ୟବିତ୍ତଙ୍କୁ ସଶକ୍ତ କରିବା ପାଇଁ ଏହା କାର୍ଯ୍ୟକାରୀ କରାଯାଇଛି। ସହରାଞ୍ଚଳର ମେରୁଦଣ୍ଡ ହେଉଛନ୍ତି ମଧ୍ୟବିତ୍ତ। ଯଦି ମଧ୍ୟବିତ୍ତଙ୍କ ଜରିଆରେ ସହରାଞ୍ଚଳର ଉନ୍ନତି ହେବ ତାହାଲେ ସର୍ଭିସ ସେକ୍ଟରରେ ବୃଦ୍ଧି ଘଟିବ। ଗୋଟିଏ ସହରାଞ୍ଚଳର ଉନ୍ନତି ଓ ଆର୍ଥିକ ରୂପାନ୍ତର ପାଇଁ ସର୍ଭିସ ସେକ୍ଟରର ବୃଦ୍ଧି ନିହାତି ଆବଶ୍ୟକ। ମଧ୍ୟବିତ୍ତ ସଶକ୍ତ ହେଲେ, ସର୍ଭିସ ସେକ୍ଟର ବୃଦ୍ଧି ପାଇବ। ସର୍ଭିସ ସେକ୍ଟର ବୃଦ୍ଧି ପାଇଲେ, ନିଯୁକ୍ତି କ୍ଷେତ୍ରରେ ବୃଦ୍ଧି ଘଟିବ। ଯାହାଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ ବୋଲି ପାଣ୍ଡିଆନ କହିଛନ୍ତି।