ବିଜେଡ଼ି ଛାଡିଲେ ସିମୁଳିଆ ବିଧାୟକ

ବିଧାନସଭା ଟିକେଟ ପାଇବାରୁ ବଞ୍ଚିତ ଥିବାରୁ ବିଜେଡି ଛାଡିଛନ୍ତି ସିମୁଳିଆ ବିଧାୟକ।

ବିଜେପିରେ ମିଶିବେ ଜ୍ୟୋତି

ଭୁବନେଶ୍ବର, ୨୨/୦୫: ବିଜେଡ଼ି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦ ସହ ଅନ୍ୟାନ୍ୟ ପଦରୁ ମଧ୍ୟ ଇସ୍ତଫା ପତ୍ର ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଜ୍ୟୋତି। ଏକ ଭିଡିଓ ଜାରି କରି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତି ପାଣିଗ୍ରାହୀ ପୂର୍ବରୁ ସିମୁଳିଆ ବିଧାୟକ ଥିବା ସହ ମନ୍ତ୍ରୀ ମଧ୍ୟ ରହିଥିଲେ। ସେ ଅନେକ ବର୍ଷ ଧରି ବିଜେଡ଼ି ସହ ଜଡିତ ଥିଲେ। ସିମୁଳିଆ ଖଇରାବାସୀଙ୍କ ସେବାରେ ପୂର୍ବରୁ ନିୟୋଜିତ ଥିଲେ ଓ ଆଗକୁ ମଧ୍ୟ ଖଇରାବାସୀଙ୍କ ସେବାରେ ରହିବେ। ୧୦ ବର୍ଷ ଧରି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚଳିତ ନିର୍ବାଚନରେ ବିଧାନସଭା ଟିକେଟ ପାଇବାରୁ ବଞ୍ଚିତ ଥିବାରୁ ବିଜେଡି ଛାଡିଛନ୍ତି ଜ୍ୟୋତି ପାଣିଗ୍ରାହୀ। ସିମୁଳିଆ ବିଧାନସଭା ଆସନ ପାଇଁ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ। ବିଜେଡି ଛାଡିବା ପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳିଛି।