ଖୋର୍ଦ୍ଧାରେ ଅପରାଜିତାଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଖୋର୍ଦ୍ଧାରେ ନିର୍ବାଚନ ପ୍ରଚାର କରିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ଓ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ବନ୍ଦ ପାଇଁ ଚେଷ୍ଟା କରିଥିଲେ ସାଂସଦ

ଭୁବନେଶ୍ୱର, ୨୨/୦୫: ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଖୋର୍ଦ୍ଧାରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଲକ୍ଷାଧିକ ଉତ୍ସାହିତ ଜନତା ସ୍ୱାଗତ କରିଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ। ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ କିପରି ହୋଇଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ସବୁଥିରେ ସମ୍ମିଳିତ ସ୍ୱରରେ ‘ବହୁତ ଭଲ’ ବୋଲି ଲୋକେ କହିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ, ଜୁଲାଇ ମାସରୁ ମାଗଣା ବିଜୁଳି, ଆପଣମାନେ ଖୁସି ତ? ଏହି ପ୍ରଶ୍ନରେ ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ।

ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିରୋଧିମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କରି କହିଥିଲେ ଯେ, ସାଂସଦ ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।

ସେହିପରି ସଭାସ୍ଥଳରେ ଭୁବନେଶ୍ୱର ସାଂସଦଙ୍କୁ ତୀବ୍ର ସମାଲୋଚନା କଲେ କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଥିଲେ ଯେ, ଭୁବନେଶ୍ୱର ସାଂସଦ ତାଙ୍କ ରିପୋର୍ଟ କାର୍ଡ ଦେଇ ଲେଖିଛନ୍ତି ଯେ, ଜାତୀୟ ରାଜପଥ ନିର୍ମାଣରେ ୬ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପଣମାନେ କୁହନ୍ତୁ ଏନ୍‍.ଏଚ୍‍. ନିର୍ମାଣରେ ସାଂସଦଙ୍କ ଭୂମିକା କଣ? କଳିଙ୍ଗ ଷ୍ଟାଡିୟମ ପାଖରେ ଫୁଟ୍ ଓଭରବ୍ରିଜ୍ କରିଛନ୍ତି, ୭ ହଜାର ସୋଲାର ଲାଇଟ, ୨୦ଟି ମିନିମାକ୍ସ ଲାଇଟ ଲାଗିଛି। ଏହା ହେଉଛି ଆପଣଙ୍କ ସାଂସଦଙ୍କ ବଡ଼ କାମ !

ବର୍ତ୍ତମାନ ମନ୍ଦିର ବୁଲି ୱାଟର କୁଲର ଲଗାଉଛନ୍ତି। ଭୁବନେଶ୍ୱର ଲୋକ ତାଙ୍କୁ କ’ଣ ଏଇଥି ପାଇଁ ସାଂସଦ କରିଥିଲେ? ସାଂସଦଙ୍କ କାମ କ’ଣ ଆପଣମାନେ ଜାଣନ୍ତି? ବିଶେଷକରି ରାଜଧାନୀର ସାଂସଦମାନଙ୍କର ସ୍ୱତନ୍ତ୍ର ଭୂମିକା ଥାଏ। ଭୁବନେଶ୍ୱର ସାଂସଦ ଭାବେ ସହରକୁ ମେଟ୍ରୋ ଆଣିବା, ରିଙ୍ଗ ରୋଡ଼ କରି ଆଖପାଖ ଅଞ୍ଚଳକୁ ଭୁବନେଶ୍ୱର ସହିତ ଯୋଡ଼ିବା, ଏହାଦ୍ୱାରା ଭୁବନେଶ୍ୱର ସହିତ ପାରିପାର୍ଶ୍ୱିକ ଅଞ୍ଚଳ ଯଥା – ଖୋର୍ଦ୍ଧା, ବେଗୁନିଆ, ଜଟଣୀ ଆଦି ଅଞ୍ଚଳର ମଧ୍ୟ ଉନ୍ନତି ହୋଇପାରିବ। ଭୁବନେଶ୍ୱରର ଅଭିବୃଦ୍ଧି ସମ୍ଭାବନାକୁ ବଢ଼ାଇବା ହେଉଛି ତାଙ୍କ କାମ, କିନ୍ତୁ ସେ ଛୋଟ ଛୋଟ କାମରେ ଲାଗିଛନ୍ତି।

ଭୋପାଳ, ବେଙ୍ଗାଲୁରୁ ଓ ଜୟପୁରରେ ରାଜଧାନୀ ଅଞ୍ଚଳର ବିଜେପି ସାଂସଦମାନେ ସେମାନଙ୍କ ଅଞ୍ଚଳ ପାଇଁ ବଡ଼ ବଡ଼ ପ୍ରୋଜେକ୍ଟ ଆଣିପାରିଛନ୍ତି। ସାଂସଦ ଭାବେ ଆମର ଆଶା ଥିଲା ସେ ଭୁବନେଶ୍ୱର ପାଇଁ ଆଇଟି ପାର୍କ, ସଫ୍ଟୱେର ପାର୍କ, ସି ଫୁଡ୍ ପାର୍କ, ମାନୁଫାକ୍ଚରିଂ କ୍ଲଷ୍ଟର, ଟେକ୍ସଟାଇଲ ପାର୍କ ଆଦି ଅନେକ ଶିଳ୍ପ ଆଣିବେ। ସାଂସଦ ଭାବେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ ଆପଣଙ୍କ ସାଂସଦ ଆପଣଙ୍କ ପାଇଁ କ’ଣ କରିଛନ୍ତି ଜଣାପଡ଼ୁନାହିଁ। ଆପଣଙ୍କ ଅଞ୍ଚଳର ଗର୍ବ ଓ ଗୌରବ ପାଇକ ବିଦ୍ରୋହ ବିଷୟରେ ସେ କିଛି କରିଛନ୍ତି କି? ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖୁଛନ୍ତି, କିନ୍ତୁ ସେ ଚୁପ୍‍ ଅଛନ୍ତି।

ଖୋର୍ଦ୍ଧାରେ ନବୀନ ସରକାର କେଉଁ କେଉଁ ଶିଳ୍ପପ୍ରତିଷ୍ଠା କରିଛନ୍ତି, ତା’ର ହିସାବ ଦେଲେ ପାଣ୍ଡିଆନ। ACME Greentech Urja Private Limitedରେ ପୁଞ୍ଜିନିବେଶ ପାଇଁ ୩୫,୬୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ନିଯୁକ୍ତି ସୁଯୋଗ ୬୩୦୦ ରହିଛି। Avaada Electro Pvt. Ltd.ରେ ପୁଞ୍ଜିନିବେଶ ୧୧,୩୦୦ କୋଟି ଟଙ୍କା ରହିଥିବା ବେଳେ ନିଯୁକ୍ତି ସୁଯୋଗ ୪୦୦୦ ରହିଛି। Electronic Manufacturing Cluster ରେ ୨୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇ ନିଯୁକ୍ତି ସୁଯୋଗ ୪୩୦୦ ରହିଛି। Berger Paints India Ltd.ରେ ପୁଞ୍ଜିନିବେଶ ବାବଦରେ ୧୪୬୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ନିଯୁକ୍ତି ସୁଯୋଗ ୪୦୦ ରହିଛି। Rungta Paints Pvt. Ltd.ରେ ପୁଞ୍ଜିନିବେଶ ବାବଦକୁ ୧୦୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ନିଯୁକ୍ତି ସୁଯୋଗ ୭୦୦ ପର୍ଯ୍ୟନ୍ତ ରହିଛି। Nestle India Ltd.ରେ ପୁଞ୍ଜିନିବେଶ ୯୦୦ କୋଟି ଟଙ୍କା କରାଯାଇଥିବା ବେଳେ ନିଯୁକ୍ତି ସୁଯୋଗ ୯୦୦ ରହିଛି। ସେହିପରି Sea Food Park, ପୁଞ୍ଜି ନିବେଶ ବାବଦରେ ୫୦୦ କୋଟି ଖର୍ଚ୍ଚ ରହିଛି।

ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶା ଜାଣିଛି ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ହେବ।

ମଧ୍ୟବିତ୍ତ ପରିବାରମାନଙ୍କ ବୋଝ ହାଲ୍‍କା କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟବିତ୍ତ ପରିବାର ବର୍ଗଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦିଆଯିବ। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ପାଇଁ ସୁଧ କମ୍‍ କରାଯିବ। ଉଚ୍ଚଶିକ୍ଷା ପାଇଁ ଋଣରେ ମଧ୍ୟ ସୁଧ କମ୍‍ କରାଯିବ। ଓଡ଼ିଶାର ୯୮ ପ୍ରତିଶତ କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଉଛି, ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର, ଅନ୍ୟ କୋଣସି ରାଜ୍ୟରେ ଏତେ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉନାହିଁ, ସର୍ବାଧିକ ୫ରୁ ୧୦ ପ୍ରତିଶତ ପିଲାଙ୍କୁ ସ୍କଲାରସିପ୍‍ ଦିଆଯାଉଛି।