ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି।

ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ଅନୁରୋଧ

ଭୁବନେଶ୍ୱର, ୨୨/୦୫: ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ, ରାସନ କାର୍ଡ, ପୁରୀ ମନ୍ଦିର କାମ, ମା’ସମଲେଇଙ୍କ କାମ କିପରି ହୋଇଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ସବୁଥିରେ ସମ୍ମିଳିତ ସ୍ୱରରେ ‘ବହୁତ ଭଲ’ ବୋଲି ଲୋକେ କହିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ, ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବେ, ବିଜୁଳି ବିଲ୍‍ ଆସିବ ନାହିଁ, ଆପଣମାନେ ଖୁସି ତ? ଏହି ପ୍ରଶ୍ନରେ ହର୍ଷ, ଉଲ୍ଲାସ ଓ କରତାଳି ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହେଲା ସଭାସ୍ଥଳ। ନବୀନ ପଟ୍ଟନାୟକ ଭଲ କି? ‘ହଁ’ରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମ ଓ ମା’ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା। ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିରୋଧି ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସେଠାରେ ଉପସ୍ଥିତ ଥିବା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଉଦବୋଧନ ଦେଇ କହିଥିଲେ ଯେ, ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ। ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି। ଆପଣମାନଙ୍କୁ ନେଇ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହା କରାଯାଇଛି। ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରାଯିବ। ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଙ୍ଗ ଲୋନ ପାଇଁ ସୁଧହାର କମ୍‍ ରହିବ। ଶିକ୍ଷାଋଣରେ ମଧ୍ୟ ସୁଧହାର କମ୍‍ ରହିବ। ନୂଆ-ଓ ସ୍କଲାରସିପ୍‍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା ହୋଇଛି। ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି, ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି। କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନୟାଗଡ଼ ପାଇଁ କରିଛନ୍ତି।

ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ହେବ। କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ମଧୁବାବୁ ପେନ୍‍ସନ୍‍ ଯୋଜନାରେ ୧୦୦୦ ଟଙ୍କା ଭତ୍ତା, ବି.ଏସ୍‍.କେ.ୱାଇ., ଲକ୍ଷ୍ମୀ ବସରେ ମା’ମାନଙ୍କ ପାଇଁ ୫ ଟଙ୍କା କିଏ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜନତାଙ୍କୁ, ସବୁର ଉତ୍ତର ଉଚ୍ଚସ୍ୱରରେ ଥିଲା- ନବୀନ ପଟ୍ଟନାୟକ। ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କଲେ। ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧି ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ।