ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

ଆଜି ବାଲେଶ୍ୱରରେ ନିର୍ବାଚନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ୍

ବାଲେଶ୍ୱର, ୨୪/୦୫: ବାଲେଶ୍ୱରରେ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ୍ କରିଛନ୍ତି।

ସ୍ଥାନୀୟ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ବାଲେଶ୍ୱରବାସୀଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣଙ୍କ ବିଜେପି ଏମ୍‍.ପି. ଆପଣଙ୍କ ପାଇଁ କିଛି କରିଛନ୍ତି କି? ବାଲେଶ୍ୱରରେ ବିଜେପି ନେତା ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆପଣମାନଙ୍କୁ କେମିତି ଲାଗୁଛି ବୋଲି ପ୍ରଶ୍ନ କରିଥିଲେ। ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍‍, କାଳିଆ, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ମଧୁବାବୁ ପେନ୍‍ସନ ଯୋଜନା, ଚାଉଳ କାର୍ଡ, ପୁରୀ ମନ୍ଦିର କାମ ବିଷୟରେ ପଚାରି ବୁଝିଥିଲେ। ସମସ୍ତ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକମାନେ ବହୁତ ଭଲ ବୋଲି କହିଥିଲେ। ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ, ଆପଣମାନେ ଖୁସି ତ? ଆନନ୍ଦ ଉଲ୍ଲାସ ମଧ୍ୟରେ ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ନବୀନ ପଟ୍ଟନାୟକ ଭଲ କି? ପ୍ରଶ୍ନରେ ଭାବବିହ୍ୱଳ ହୋଇ ଉପସ୍ଥିତ ଜନତା ବହୁତ ଭଲ ବୋଲି କହିଥିଲେ।

ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସମ୍ବୋଧିତ କରି କହିଥିଲେ ଯେ, ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି। ନୂଆ ଓଡ଼ିଶା ଗଠନରେ ବାଲେଶ୍ୱରର ବହୁତ ବଡ଼ ଅବଦାନ ରହିବ। ଆମ ଘୋଷଣାପତ୍ର ଅନୁଯାୟୀ ବାଲେଶ୍ୱର, ବାରିପଦାକୁ ନେଇ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର କରାଯିବ। ବହୁତ ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବ, ନିଯୁକ୍ତି ସୃଷ୍ଟି ହେବ, ରୋଜଗାର ବଢ଼ିବ। ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ କିଏ କରିଛନ୍ତି? ବିଭିନ୍ନ ମନ୍ଦିର, ମଠ ଓ ମସ୍‍ଜିଦ୍‍ର ବିକାଶ କିଏ କରିଛନ୍ତି, ଚାନ୍ଦିପୁର ଓ ଉଦୟପୁର ବେଳାଭୂମିର ବିକାଶ କିଏ କରିଛନ୍ତି? ସମସ୍ତ ପ୍ରଶ୍ନର ଗୋଟିଏ ଉତ୍ତର ଆସିଥିଲା ଜନତାଙ୍କ ପାଖରୁ- ନବୀନ ପଟ୍ଟନାୟକ। ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା କହୁଛି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼। ଦ୍ୱିତୀୟ ଦସ୍ତଖତ ହେବ ବି,ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ସମସ୍ତଙ୍କୁ କାର୍ଡ ମିଳିବ। ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ୍‍ ସୁବିଧା। ଏ ସବୁ ଶୁଣି ବିରୋଧିଙ୍କ ନିଦ ହଜିଗଲାଣି।

ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ରାଜନୀତିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଅନେକ ରାଜନୈତିକ ଦଳ କହିଥିଲେ, କିନ୍ତୁ ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ଏହାକୁ କାମରେ କରି ଦେଖାଇଲା। ବାଲେଶ୍ୱରେ ୩୩ ନୁହେଁ, ୫୦ ପ୍ରତିଶତ ସ୍ଥାନରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ହିଁ ସୁଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଚିର ଋଣୀ। ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣର ଲକ୍ଷ୍ୟକୁ ପୂରଣ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ଲେଖାଶ୍ରୀ କହିଥିଲେ।