ସୁକିନ୍ଦା ଓ ଯାଜପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଲକ୍ଷେ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ।

‘ବିରୋଧୀଙ୍କ ଅପପ୍ରଚାର ପ୍ରତି ସତର୍କ ରୁହନ୍ତୁ’

ଭୁବନେଶ୍ବର, ୨୫/୦୫: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁକିନ୍ଦା ଓ ଯାଜପୁରରେ ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଉଭୟ ପ୍ରାର୍ଥୀଙ୍କୁ ଲକ୍ଷେ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ। ସେଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ପ୍ରଥମେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ନିର୍ବାଚନ ସମୟରେ ବିରୋଧିମାନେ ଆସିବେ। ମିଠା ମିଠା କଥା କହିବେ, ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ, ଆପଣମାନେ ସତର୍କ ରୁହନ୍ତୁ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ। ମା ବିରଜା ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ। ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ସୁବିଧା। ବିଜେପି କହୁଛି ମାଗଣା ବିଜୁଳି ଦେବ। ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ। ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ, ଏମାନଙ୍କୁ ଚିହ୍ନିକି ରଖନ୍ତୁ। ସୁକିନ୍ଦା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୧.୫ କୋଟି ଟଙ୍କା। ଦୁଇଟା ରେଲୱେ ଓଭରବ୍ରିଜ୍‍ ଓ ରେଙ୍ଗାଲି ଲେପ୍ଟ କେନାଲ କରାଯାଇଛି। ୪୦ ହଜାର ଭୋଟ ବ୍ୟବଧାନରେ ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କଲେ। ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି, ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି। ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ବିଧାୟକ ଡାନୀ ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି। ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ, ଏଥର ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି। ନେତା ଯେମିତି, ସେନାପତି ସେମିତି। ଯଯାତିକେଶରୀ ମେଡିକାଲ କଲେଜ, ମା ବିରଜାଙ୍କ ମନ୍ଦିରର ରୂପାନ୍ତରଣ, ବୈତରଣୀରେ ଆଡ଼ିବନ୍ଧ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ।