ବରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ ପାଣ୍ଡିଆନ।

‘ନିର୍ବାଚନ ପରେ ଦେଖା ଦେବେ ନାହିଁ ବିରୋଧୀ’

ଭୁବନେଶ୍ବର, ୨୫/୦୫: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବରୀରେ ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ। ସ୍ଥାନୀୟ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏ ସରକାର ଆପଣମାନଙ୍କ ସରକାର, ମା’ମାନଙ୍କ ସରକାର, ଚାଷୀ ଓ ଯୁବପିଢ଼ିର ସରକାର। ଯୁବପିଢ଼ିଙ୍କ ମାଧ୍ୟମରେ ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

ବିରୋଧୀମାନଙ୍କ ଉପରେ ଆକ୍ରମଣ କରି କହିଛନ୍ତି, ବିରୋଧୀ ବିଜେପି ନେତାମାନେ କେବଳ ନିର୍ବାଚନ ସମୟରେ ଆସିବେ। ମିଠା ମିଠା କଥା କହିବେ। ମିଛ କଥା କହିବେ। ଅପପ୍ରଚାର କରିବେ। ବିଜେପି ଦଳ କହୁଛି ମାଗଣା ବିଜୁଳି ଦେବ। ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ। ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି। ଏମାନେ ବଡ଼ ବଡ଼ କଥା କହିବେ, ନିର୍ବାଚନ ସରିଗଲେ ଖୋଜିଲେ ପାଇବେ ନାହିଁ। ଏମାନଙ୍କୁ ୨୦୧୯ରେ ଦେଖିଥିଲେ, ୨୦୨୪ରେ ଦେଖୁଛନ୍ତି ଏବଂ ୨୦୨୯ରେ ପୁଣି ଦେଖିବେ, କିନ୍ତୁ ଅନ୍ୟ ସମୟରେ ଦେଖିବେ ନାହିଁ। ଏବେ ନିର୍ବାଚନ ୧୦ ଦିନ ଅଛି, ଏମାନଙ୍କର ଚାଷୀଙ୍କ କଥା ମନେ ପଡ଼ୁଛି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାମର ହିସାବ ଦେଇ ପାଣ୍ଡିଆନ କହିଛନ୍ତି, କଳାମାଟି ସହୀଦ ସ୍ମୃତି ପୀଠର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା, ବରୀ ନିର୍ବାଚନ ମଣ୍ଡଳୀରେ ୫ଟି ବଡ଼ ସେତୁ ପାଇଁ ୨୦୦ କୋଟି ଟଙ୍କା ଏବଂ ଦୁଇଟି ଜଳସେଚନ ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଯାଜପୁର ଜିଲ୍ଲାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ଯଯାତିକେଶରୀ ମେଡିକାଲ କଲେଜ ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ। ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ଯେଉଁମାନେ ପାଇନାହାନ୍ତି ସମସ୍ତଙ୍କୁ ମିଳିବ। ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ସୁବିଧା। ଚତୁର୍ଥ ଦସ୍ତଖତରେ କଲେଜ ପିଲାମାନଙ୍କୁ ସଂଶୋଧିତ ନୂଆ-ଓ ସ୍କଲାରସିପ୍‍, ଝିଅ ପାଇବେ ୧୪ ହଜାର ଟଙ୍କା ଏବଂ ପୁଅ ପାଇବେ ୧୨ ହଜାର ଟଙ୍କା।

କର୍ମୀମାନଙ୍କୁ ଉତ୍ସାହିତ କରି ପାଣ୍ଡିଆନ କହିଛନ୍ତି, ପରିଶ୍ରମ କରନ୍ତୁ ଆଶୀର୍ବାଦ ଆଣିବା। ଓଡ଼ିଶାକୁ ଆଗେଇନେବା। ଯେଉଁଠାରେ ଗରିବ ଲୋକ ମଧ୍ୟ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ସାହସ କରିପାରିବ।