୯ଟି ପ୍ରସଙ୍ଗରେ ବିଜେପିକୁ ଘେରିଲେ କାର୍ତ୍ତିକ ପାଣ୍ଡିଆନ

ଓଡ଼ିଶାରେ ବିଜେପିର ସ୍ଥିତି କିଛି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

ଜାରି କଲେ ବିଜେପିର ସେଲ୍ଫ ଗୋଲ୍ ଲିଷ୍ଟ

ଭୁବନେଶ୍ବର,୨୮/୦୫: ବିଜେପିର ୯ଟି ସେଲ୍ଫ ଗୋଲକୁ ନେଇ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ୯ଟି ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି ପାଣ୍ଡିଆନ। ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତି ଭିତରକୁ ଟାଣିବାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି। ନିର୍ବାଚନ ବେଳେ ଆସୁଥିବା ରାଜ୍ୟ ବାହାର ନେତା, କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି।

ବିଜେପି ତାର ଇସ୍ତାହାରରେ ଉଲ୍ଲେଖ କରିଛି, ସରକାରକୁ ଆସିଲେ ବିଜେପି ମିଶନଶକ୍ତିକୁ ବନ୍ଦ କରିଦେବ। ଏହା ସହ ମିଶନ ଶକ୍ତିକୁ ନେଇ ଷଡଯନ୍ତ୍ର ରଚିବା ସହ ମିଶନ ଶକ୍ତି ମା’ମାନଙ୍କୁ ମଧ୍ୟ ବିଜେପି ଅସମ୍ମାନ ଦେଇ ଆସିଛି। ଯାହାକୁ ନେଇ ରାଜ୍ୟର ୭୦ ଲକ୍ଷ ମିଶନ ଶକ୍ତି ମହିଳାମାନେ ବିଜେପି ବିରୁଦ୍ଧରେ ଯାଇଛନ୍ତି।

ବିଜେପି ଇସ୍ତାହାରରେ ଜାରି କରିଛି ଯେ, ବିଏସକେୱାଇ କାର୍ଡ ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବ। କିନ୍ତୁ ଓଡିଶାବାସୀ ବେଶ୍ ଅବଗତ ଅଛନ୍ତି ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ ଲାଗୁ କିନ୍ତୁ ବିଏସକେୱାଇ ଯୋଜନା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଗୁ ହେବ। ରାଜ୍ୟର ୯୦ ଲକ୍ଷ ଲୋକ ବିଏସକେୱାଇର ସୁବିଧା ପାଉଥିବା ବେଳେ ଆୟୁଷ୍ମାନ ଯୋଜନା ଦ୍ବାରା କେବଳ ୪୦ ଲକ୍ଷ ଲୋକ ଉପକୃତ ହୋଇପାରିବେ।

ଯୁବପିଢିଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ସ୍କୁଲ , ୫-ଟି କଲେଜରେ ଶିକ୍ଷାନୁଷ୍ଠାନର ରୂପାନ୍ତରଣ ହୋଇଛି। ଯୁବ ବଜେଟ ମଧ୍ୟ ଆଣିଛନ୍ତି। ରାଜ୍ୟର ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ-ଓ ଛାତ୍ର ବୃତ୍ତି ଦିଆଯାଉଛି। ହେଲେ ବିଜେପି ଇସ୍ତାହାରରେ ଲେଖିଛି ଯେ, ଛାତ୍ରବୃତ୍ତି ବ୍ୟବସ୍ଥା କରିବ ନାହିଁ।

ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପରିଚୟ ଓ କଳା, ସଂସ୍କୃତିକୁ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ମାତ୍ରାଧିକ ଆଦିବାସୀ ଥାଇ ମଧ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇ ନାହିଁ। କିନ୍ତୁ ବିଜେପି ସରକାରକୁ ଆସିଲେ ଏହାକୁ ବନ୍ଦ କରିବେ।

ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଶାନ୍ତିର ଅଭାବ ଅଛି। ଓଡ଼ିଶାରେ ବହୁତ ସାମାଜିକ ଶାନ୍ତି ଅଛି। ନବୀନ ସରକାର ସମୟରେ ଓଡ଼ିଶାରେ ଦାଦା ବଟି ନାହିଁ। କିନ୍ତୁ ବିଜେଡିରେ ଥିବା ବେଳେ ଅନୈତିକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେତାମାନେ ଦଳରୁ ବିଦା ହେବା ପରେ ବିଜେପି ସେମାନଙ୍କୁ ନିଜ ଦଳରେ ସାମିଲ କରିଛି।

ବିଜେପି କେନ୍ଦ୍ରରେ ୧୦ ବର୍ଷ ଧରି ସରକାରରେ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ଏମ୍ଏସପି ବୃଦ୍ଧି କରିବା କଥା ଭାବି ନଥିଲେ। ହେଲେ ନିର୍ବାଚନ ତାରିଖ ଘୋଷଣା ହେବାର ୧୦ ଦିନ ପୂର୍ବରୁ ଏମ୍ଏସପିରେ ୩୧୦୦ ଟଙ୍କା ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା। ଏବେ ନିର୍ବାଚନ ପାଇଁ ବିଜେପିର ଚାଷୀଙ୍କ କଥା ମନେ ପଡୁଛି।

ବିଜେଡ଼ିର ମାଗଣା ବିଜୁଳି ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି। ଯାହାଫଳରେ ବିଜେପି ସୋଲାର ପ୍ୟାନେଲ ଜରିଆରେ ବିଜୁଳି ଯୋଗାଇବା କଥା ଇସ୍ତାହାରରେ ଆଣିଲା। ଲୋକମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବା ପରେ ବିଜେପି ସୋଲାର ଜରିଆରେ ମାଗଣା ବିଜୁଳି ଦେବା କଥା ଦିନରେ ଲଣ୍ଠନ ଦେଖାଇବା ସହ ସମାନ। ସେହିପରି ପ୍ରଥମେ ଏଲପିଜି ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢାଇବାରେ ଲାଗିଛି।

ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ବିଜେପି ଘୋଷଣା କରିଛି। ଯଦି ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯାଏ ତାହାଲେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଓଡ଼ିଶାରେ ବିକାଶମୂଳକ ସ୍କିମ ବାବଦରେ ୨୫ ହଜାର କୋଟି ଟଙ୍କା ବଜେଟ ରହୁଛି। ଏହା କେବଳ ଜୁମଲା।

ଓଡିଶାବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡ଼ି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇ ସାରିଛି।