ଓଡ଼ିଶାର ଭବିଷ୍ୟତକୁ ନେଇ ଚିନ୍ତିତ ମୋଦି

ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନବୀନଙ୍କ ସହ ସମ୍ପର୍କଠୁ ଉର୍ଦ୍ଧ୍ୱରେ ଓଡ଼ିଶାର ବିକାଶ

ନୂଆଦିଲ୍ଲୀ, ୨୮/୦୫: ଦେଶରେ ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ସେ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ଥିବା ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର କଲ୍ୟାଣ ପାଇଁ ସେ ନିଜ ସମ୍ପର୍କକୁ ତ୍ୟାଗ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପଚରାଯିବାରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜନୀତିରେ ନେତାଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବା ଉଚିତ। ଭାରତର ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ଆମର ଭଲ ସମ୍ପର୍କ ରହିଛି ଏବଂ ଗଣତନ୍ତ୍ରରେ ଆମର ଶତ୍ରୁତା ନାହିଁ। ଏବେ ପ୍ରଶ୍ନ ଉଠୁଛି ମୁଁ ମୋର ସମ୍ପର୍କ ବଜାୟ ରଖିବି ନା ଓଡ଼ିଶାକୁ ନେଇ। ଓଡିଶାର ଭବିଷ୍ୟତକୁ ନେଇ ଚିନ୍ତିତ। ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପସନ୍ଦ କରିଛି ଏବଂ ଯଦି ଏଥିପାଇଁ ମୋତେ ମୋର ସମ୍ପର୍କକୁ ତ୍ୟାଗ କରିବାକୁ ପଡିବ, ତେବେ ମୁଁ ସେମାନଙ୍କୁ ତ୍ୟାଗ କରିବି ଏବଂ ନିର୍ବାଚନ ପରେ ମୁଁ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିବି ଯେ କାହା ସହିତ ମୋର କୌଣସି ଶତ୍ରୁତା ନାହିଁ।

ଓଡ଼ିଶାରେ ବିଜେଡ଼ି ସରକାରକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ଥିବା ଶ୍ରୀ ପଟ୍ଟନାୟକ ଏକକାଳୀନ ରାଜ୍ୟ ନିର୍ବାଚନରେ ରେକର୍ଡ ସଂଖ୍ୟକ ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ହେଲେ, ଗତ ୨୫ ବର୍ଷ ଧରି ଓଡ଼ିଶାରେ କୌଣସି ଅଗ୍ରଗତି ହୋଇନାହିଁ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ସମଗ୍ର ଓଡ଼ିଶାର ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅକ୍ତିଆରକୁ ନେଇଛି। ସମଗ୍ର ବ୍ୟବସ୍ଥାକୁ ବନ୍ଧକ କରି ଦିଆଯାଇଛି। ଏଥିରୁ ଓଡ଼ିଶା ମୁକୁଳି ପାରିଲେ ଏହାର ବିକାଶ ହେବା ସ୍ୱାଭାବିକ।

ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୁର। ଏଭଳି ସମୃଦ୍ଧ ରାଜ୍ୟର ଗରିବ ଲୋକଙ୍କୁ ଦେଖି ଦୁଃଖ ଲାଗୁଛି। ଓଡ଼ିଶା ଭାରତର ସମୃଦ୍ଧ ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି କିନ୍ତୁ ଗରୀବ ରାଜ୍ୟ ତାଲିକାରେ ମଧ୍ୟ ଶୀର୍ଷରେ ରହିଛି। ଏଥିପାଇଁ ସରକାର ଦାୟୀ। ସେଥିପାଇଁ ଓଡ଼ିଶାବାସୀଙ୍କୁ ସେମାନଙ୍କ ଅଧିକାର ମିଳିବା ଦରକାର। ଓଡ଼ିଶାକୁ ଏହାର ପରିଚୟ ମିଳିବା ଦରକାର।

ଖୁବ୍ ଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି। ଏଥର ସରକାର ବଦଳୁଛି। ଓଡ଼ିଶାର ବର୍ତ୍ତମାନର ସରକାରଙ୍କ ଅବଧି ଶେଷ ତାରିଖ ହେଉଛି ଜୁନ୍ ୪। ଆସନ୍ତା ଜୁନ୍ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ।