ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି।

ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର, ୨୯/୦୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ ରହିଛି ଯେ, ସାରା ରାଜ୍ୟରେ ଶୁଷ୍କ ପାଗ ଏବଂ ମଧ୍ୟମ ଓ ଉପର ସ୍ତରରେ ଉତ୍ତର-ପଶ୍ଚିମ ଶୁଷ୍କ ପବନ ବହୁଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ଏବଂ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି। ତେଣୁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ତାତି ଅନୁଭୂତ ହେବ। ତେଣୁ ଗ୍ରୀଷ୍ମଜନିତ ସମସ୍ୟାର ମୁକାବିଲା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୌଳିକ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ଔଷଧ, ଓଆରଏସ ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ମହଜୁଦ ଥିବା ନେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।