ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

• ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି •ନିର୍ବାଚନରେ ସିଧାସଳଖ ଲଢିବାକୁ ବିଜେଡି ନେତାଙ୍କ ଆହ୍ୱାନ

ଗଣମାଧ୍ୟମ ପ୍ରତି ବିଜେପି ନେତାଙ୍କ ସମ୍ମାନ ନାହିଁ

ଭୁବନେଶ୍ୱର, ୨୯/୦୫: ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ସରକାର ଗଠନ କରୁଛି । ୨୦୨୪ ଜୁନ୍ ୯ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରେକର୍ଡ କରିବେ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର, ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ.ଲେନିନ୍‍ ମହାନ୍ତି ।

ବିଜେଡିର ଏହି ଚାରି ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ବିଜେପି ଏ ବିଷୟରେ ଅବଗତ ହେବାପରେ ମାନସିକ ଭାରସାମ୍ୟ ହରାଇଛି । ଗତକାଲି ରାତିରେ ଓଡ଼ିଶା ବିଜେପି ନେତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟମାନେ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନିଲମ୍ବିତ କରିଥିବା ଏବଂ ଅନ୍ୟ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଏମ୍‍ସ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବାର ଶ୍ରେୟ ନେବାକୁ ଚେଷ୍ଟା କରୁଥିଲେ, ଯାହା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ସେମାନଙ୍କର ମନରେ ଥିବା କିଞ୍ଚିତ୍‍ ସମ୍ମାନକୁ ଦର୍ଶାଉଛି । ଓଡ଼ିଶା ବିଜେପି ନେତାଙ୍କ ଏଭଳି ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

ଏହା ଦୁର୍ଭାଗ୍ୟଜନକ ଯେ ବିଜେଡି ସହ ଲଢ଼ିବା ପରିବର୍ତ୍ତେ ପରାଜିତ ହେଉଥିବାରୁ ବିଜେପି ନିର୍ବାଚନ କମିସନଙ୍କୁ ବ୍ୟବହାର କରି ଅଫିସରଙ୍କ ପଛର ପଡିଛି । ଏଥିରୁ ଜଣାପଡ଼ୁଛି ବିଜେଡି ସହ ଲଢ଼ିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନାହିଁ । ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ନିର୍ବାଚନ ସହିତ କୌଣସି ସମ୍ପର୍କ ନଥିବା ଅଧିକାରୀମାନଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ କିଛି ସାହସ ରଖନ୍ତୁ ଏବଂ ଆମ ସହ ଲଢ଼େଇ କରନ୍ତୁ ।