ଗୋଟିଏ ପଟେ ମୋଦିଙ୍କ ଭର୍ତ୍ସନା; ଅନ୍ୟ ପଟେ ନବୀନଙ୍କ କ୍ରେଜ୍

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନିମାପଡାରେ ରୋଡ୍ ସୋ କରିଛନ୍ତି।

କି ପ୍ରଭାବ ପକାଇବ ଜନତାଙ୍କ ଉପରେ

ଭୁବନେଶ୍ବର, ୨୯/୦୫: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ସିଧାସଳଖ ଟାର୍ଗେଟ କରିଛନ୍ତି। ଓଡ଼ିଶାର ବିକାଶରେ ଅବହେଳା ପାଇଁ ବିଜେଡିର କୁଶାସନକୁ ଦାୟୀ କରିଛନ୍ତି। ରାଜ୍ୟ ସରକାରଙ୍କ ଶାସନ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜନ ସମାବେଶରେ ଆକ୍ଷେପ କରି କହିଛନ୍ତି। ଏହା ସହ ବିଜେଡ଼ି ଶାସନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜୁନ୍ ୧୦ ତାରିଖରେ ରାଜ୍ୟରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଜନସାଧାରଣଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଜେଡି ସରକାର ଜନସାଧାରଣଙ୍କ ଟଙ୍କା ଲୁଟ୍ କରି ବିଦେଶକୁ ପଠାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ କହିଛନ୍ତି ଯେ ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ କାହାର ଷଡଯନ୍ତ୍ର ଥିବା ସେ ଅଭିଯୋଗ କରିଛନ୍ତି। ମୋଦିଙ୍କ ଏଭଳି ବାର୍ତ୍ତା ସାରା ରାଜ୍ୟରେ ଚହଳ ପକାଇଛି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା କାହିଁକି ଖରାପ ହେଉଛି ତାହାର ତଦନ୍ତ ପାଇଁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଜୁନ୍ ୧୦ ପରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ଓ ଏହାର ତଦନ୍ତ କରାଯିବ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନିମାପଡ଼ାରେ ଏକ ମେଗା ରୋଡ୍ ସୋ’ କରିଛନ୍ତି। ଏହି ମେଗା ରୋଡ୍ ସୋରେ ଦେଖାଦେଇଛି ଜନସମୁଦ୍ର। ଯାହାକୁ ଦେଖି ନବୀନଙ୍କ ପ୍ରତି ଥିବା ନିମାପଡ଼ାବାସୀଙ୍କ ଭଲପାଇବା ପ୍ରତିଫଳିତ କରୁଛି। ବିଜେଡି ପ୍ରାର୍ଥୀଙ୍କୁ ସ୍ୱାଗତ ଜଣାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଜମାଇଥିଲେ ସାଧାରଣ ଜନତା। ରୋଡ୍ ସୋ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଥିଲା। ଆଜି ମଧ୍ୟ ରୋଡ୍ ସୋ’ ସମୟରେ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଲୋକଙ୍କ ଭିତରେ ଥିବା ପ୍ରବଳ ଉତ୍ସାହ ଦେଖି ନବୀନଙ୍କ ପ୍ରତି ଜନସମର୍ଥନ ଜଣା ପଡୁଛି।

ନିର୍ବାଚନ ପାଇଁ ବିଭିନ୍ନ ରଣନୀତି ଆପଣାଉଥିବା ବିଭିନ୍ନ ରାଜନୈତିକ ଦଳ ଅନ୍ୟ ଦଳ ବିରୋଧରେ କଡା ମନ୍ତବ୍ୟ ମଧ୍ୟ ଉଚ୍ଚାରଣ କରୁଛନ୍ତି। ୧୦ ବର୍ଷ ଧରି କେନ୍ଦ୍ରରେ ସରକାର ଗଢିଥିବା ବିଜେପିର ଏଥର ମୁଖ୍ୟ ଫୋକସ୍ ରହିଛି ଓଡ଼ିଶା। ଓଡ଼ିଶାକୁ ବାରମ୍ବାର ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜନୈତିକ ରଣନୀତି କୌଶଳ ଆପଣାଇଛନ୍ତି। ୨୦୨୪ ନିର୍ବାଚନ ଶେଷ ପର୍ଯ୍ୟାୟରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ଶେଷ ଥର ପ୍ରଚାର ପାଇଁ ଓଡିଶା ଆସିଛନ୍ତି। ହେଲେ, ଓଡ଼ିଶାରେ ନବୀନ କ୍ରେଜ୍ ଏବେ ବି ଜାରି ରହିଛି। ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ନବୀନ ନିର୍ବାଚନ ବେଳେ ମାଷ୍ଟର ଷ୍ଟ୍ରୋକ ଆପ୍ଲାଏ କରିଛନ୍ତି। ମାଷ୍ଟର ଷ୍ଟ୍ରୋକରେ ଅଭ୍ୟସ୍ତ ଥିବା ନବୀନ ଏଥର ମାଗଣା ବିଜୁଳି ସେବା ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ଏବେ ଦେଖିବା ବାକି ରହିଲା, ଓଡ଼ିଶାରେ ମୋଦିଙ୍କ ଗସ୍ତର ପ୍ରଭାବ ପକାଇବ ନା ନବୀନ କ୍ରେଜରେ ବିଜେପିର ସରକାର ଗଠନ କରିବା ସ୍ୱପ୍ନ ଧୂଳିସାତ ହୋଇଯିବ।