ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଅଘଟଣ: ଜଣେ ମୃତ, ୩୦ରୁ ଆହତ

ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଚନ୍ଦନ ଯାତ୍ରାର ଚାପ ଖେଳ ସମୟରେ ବାଣ ବିସ୍ଫୋରଣରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଚିକିତ୍ସା ସହାୟତା ନିର୍ଦ୍ଦେଶ

ଭୁବନେଶ୍ବର, ୩୦/୦୫: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟସ୍ଥ ଦେବୀ ଘାଟରେ ବୁଧବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଚନ୍ଦନ ଯାତ୍ରାର ଚାପ ଖେଳ ସମୟରେ ବାଣ ବିସ୍ଫୋରଣରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ମେଡିକାଲ୍‌ରେ ଆବଶ୍ୟକୀୟ ଡାକ୍ତର ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ୧୦ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୨୭ ଜଣ ଆହତଙ୍କୁ କଟକ ଓ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ରୋଗୀଙ୍କୁ ପୁରୀର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ବିଷୟରେ ଜାଣି ଦୁଃଖିତ। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି।”