ପ୍ରତି ଫେଜରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି ବିଜେପି: ପାଣ୍ଡିଆନ

ଓଡ଼ିଶାରେ ବିଜେପିର କୌଣସି ସ୍ଥିତି ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

‘ବିଜେପିର ପାଇଁ ବୁମେରାଂ ହେବ ୪ଟି ଭୁଲ’

ଭୁବନେଶ୍ବର, ୩୦/୦୫: ବିଜେପି ବାରମ୍ବାର ଓଡ଼ିଆ ଅସ୍ମିତା କଥା କହୁଛି। ହେଲେ, ଓଡ଼ିଶାର ଆରାଧ୍ୟ ଦେବତା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପରେ ବାଧାସୃଷ୍ଟି କରିଥିବା। ୪୦ ବର୍ଷ ଧରି ଖୋଲା ଯାଇନଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାକୁ ଲୁଚାଇବାରେ କୌଣସି କଥା ନାହିଁ। ଏ ସମ୍ପର୍କରେ ବିଜେପି ଜାଣିବା ପରେ ପୁଣି ଏକ ନୂଆ ଷ୍ଟ୍ରାଟେଜି ଆପଣାଇଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଆକ୍ରମଣ କଲା। ସବୁ ରାଜ୍ୟରେ ବିଜେପି ଏହିପରି କରେ। ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା। କିନ୍ତୁ ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ। ଓଡିଶାବାସୀ ଏହାର ଜବାବ ଭୋଟରେ ଦେଖାଇବେ। ଅପପୁଷ୍ଟି, ଭିତ୍ତିଭୂମି ସବୁ କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡିଶା ପଛରେ ରହୁଛି ବୋଲି ବିଜେପି କହୁଥିଲା। ହେଲେ, ରିପୋର୍ଟ ଆସିବା ପରେ ଜଣାପଡ଼ିଲା ଯେ, ଗୁଜରାଟ ଓଡ଼ିଶାଠାରୁ ବହୁତ ପଛରେ ଅଛି। ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ରସରକାର ଓଡ଼ିଶା ବିରୋଧରେ ଯାଇ ଏକପାଖିଆ ଭାବେ ଛତିଶଗଡ଼କୁ ସମର୍ଥନ କଲେ। ଓଡ଼ିଶାର ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କ ଭଳି ଜଣେ ମହାନ୍ ଜନନାୟକଙ୍କୁ ଭାରତ ରତ୍ନ ନଦେବା ପରିତାପର ବିଷୟ। ଏହା ଓଡିଶାବାସୀଙ୍କୁ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନରେ ବିପୁଳ ମାତ୍ରାରେ ଜନ ସମର୍ଥନ ପାଇ ବିଜୟ ଲାଭ କରୁଛନ୍ତି। କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷର ଏମିତି ଜଣେ ଲୋକପ୍ରିୟ ନେତାଙ୍କ ପ୍ରତି ବାହାରୁ ଆସୁଥିବା ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି, ଅସମ୍ମାନ କରୁଛନ୍ତି। ବିଜେପିର ଏହି ୪ଟି ଭୁଲ ସେମାନଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବ। ଓଡିଶାବାସୀଙ୍କ ଦ୍ୱାରା ଆସନ୍ତା ୪ ତାରିଖ ଦିନ ବିଜେପିକୁ ଉଚିତ୍ ଜବାବ ମିଳିଯିବ। ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ। କେନ୍ଦ୍ରରେ ୧୦ ବର୍ଷର ସରକାର ମଧ୍ୟରେ ଓଡିଶା ପାଇଁ କ’ଣ କରିଛନ୍ତି, ସେମାନଙ୍କ ପାଖରେ ଉତ୍ତର ନାହିଁ। ଯଦି ରାଜ୍ୟରେ କୋଷ୍ଟାଲ ହାଇୱେ କରିଥାଆନ୍ତେ, ତାହାଲେ ଓଡିଶାକୁ ଶିଳ୍ପର ସମ୍ଭାର ଆସିଥାନ୍ତା, ନୂତନ ନିଯୁକ୍ତି ମିଳିଥାଆନ୍ତା। ଏଥିରୁ ଜଣାପଡୁଛି, ବିଜେପି ପ୍ରତି ଫେଜରେ ଗୋଲ ପୋଷ୍ଟ ଚେଞ୍ଜ କରୁଛନ୍ତି। ବିଜେପି ଯେତେ ଗୋଲ ପୋଷ୍ଟ ଚେଞ୍ଜ କଲେ ବି ଓଡିଶାର ଜନତାଙ୍କ ଉପରେ ତାହାର ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।