ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ଵର, ୩୦/୦୫: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ୍ ଅଲ୍ଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ପୁରୀ ବାଣ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ତଦନ୍ତ କରିବେ।

ଦୁର୍ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ସହାୟତା ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଗତକାଲି ପୁରୀ ବାଣ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ବାଣ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।