ରାଜ୍ୟକୁ ପାଣ୍ଡିଆନ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହାସ୍ୟାସ୍ପଦ କହିଲେ ନବୀନ

ଆଜି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରକୁ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଓଡିଶାବାସୀ ବାଛିବେ ନବୀନଙ୍କ ଉତ୍ତରାଧିକାରୀ

ଭୁବନେଶ୍ବର, ୩୦/୦୫: ବିରୋଧୀ ଦଳ ବାରମ୍ବାର ଭିକେ ପାଣ୍ଡିଆନଙ୍କୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଆଜି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିକେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି। ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡା ହୋଇ ନାହାନ୍ତି। ମୋ ଭବିଷ୍ୟତ ଉତ୍ତରାଧିକାରୀଙ୍କ ବିଷୟରେ ଓଡ଼ିଶାବାସୀ ନିଷ୍ପତ୍ତି ନେବେ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଭିକେ ପାଣ୍ଡିଆନ ନିଷ୍ପତ୍ତି ନିଅନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ନବୀନ ଏହାକୁ ହାସ୍ୟାସ୍ପଦ ବୋଲି କହି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଏହା ପୂର୍ବରୁ ଅନେକ ଥର କହିସାରିଛି। ଏପରି ଅଭିଯୋଗର କୌଣସି ମୂଲ୍ୟ ନାହିଁ।

ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଗତ ଏକ ମାସ ଧରି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଯଦି ଅସୁସ୍ଥ ଥାଆନ୍ତେ ତାହାଲେ ପ୍ରଚାର କରି ପାରିନଥାନ୍ତେ। ଗତ ୧୦ ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଗୁଜବ ପ୍ରଚାରିତ ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ସାର୍ବଜନୀନ ଭାବେ କହିସାରିଛନ୍ତି ଯେ ମୁଁ ତାଙ୍କର ଭଲ ବନ୍ଧୁ। ମୋର କେବଳ ଏତିକି କହିବାର ଅଛି ଯେ, ଯଦି ପ୍ରଧାନମନ୍ତ୍ରୀ ପ୍ରକୃତରେ ଚିନ୍ତିତ ଥାଆନ୍ତେ ତେବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ୍ କରିପାରିଥାନ୍ତେ। କେବଳ ନିର୍ବାଚନ ସମୟରେ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି ମୋଦି। ଗତ ୧୦ ବର୍ଷ ଧରି ଦିଲ୍ଲୀବାସୀ ଏହି ଗୁଜବ ପ୍ରଚାର କରି ଆସୁଛନ୍ତି। ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ କ୍ୟାବିନେଟ ବୈଠକରେ ଅନୁପସ୍ଥିତ ରହୁଥିବା ପ୍ରଶ୍ନରେ ନବୀନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ କ୍ୟାବିନେଟ ବୈଠକରେ ସାମିଲ ହେବା ପାଇଁ ମୋ ପାଖରେ ସବୁ କ୍ଷମତା ରହିଛି। କ୍ୟାବିନେଟ ବୈଠକରେ ସାମିଲ ନହେବାର କୌଣସି ପ୍ରଶ୍ନ ହିଁ ଉଠୁନି। ଆଜି ପର୍ଯ୍ୟନ୍ତ ଯେତେ ବି କ୍ୟାବିନେଟ ବୈଠକ ହୋଇଛି ସେ ସବୁଥିରେ ଉପସ୍ଥିତ ଥିଲେ। ବିରୋଧୀ ହତାଶ ହୋଇ ଏଭଳି ଗୁଜବ ପ୍ରଚାର କରୁଛି ବୋଲି ନବୀନ କହିଛନ୍ତି।

ରାଜ୍ୟରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଉ ମାତ୍ର କେଇଟା ଦିନ ପରେ ଫଳାଫଳ ଘୋଷଣା ହେବ। ଏ ସଂକ୍ରାନ୍ତରେ ନବୀନ କହିଛନ୍ତି ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡ଼ିଶାରେ ବିଜେଡ଼ି ଉତ୍ତମ ପ୍ରଦର୍ଶନ କରିବ ଏବଂ ପୁଣି ଥରେ ସରକାର ଗଠନ କରିବ। ଗତ ୨୭ ବର୍ଷ ଧରି ବିଜେଡିର ସଭାପତି ପଦରେ ଅଛନ୍ତି ଓ ସଫଳତାର ସହ ଏହି ଦାୟିତ୍ୱକୁ ନିର୍ବାହ ମଧ୍ୟ କରିଛନ୍ତି। ରାଜ୍ୟରେ ୨୧ ଲୋକସଭା ଆସନ ହାତେଇବା ସହ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଆଶା ପ୍ରକାଶ କରିବା ସହ ଯେତେବେଳେ ଆବଶ୍ୟକ ପଡିବ କେନ୍ଦ୍ର ସରକାରଙ୍କୁ ସମର୍ଥନ ମଧ୍ୟ କରିବେ ବୋଲି କହିଛନ୍ତି।