କେରଳ ଛୁଇଁଲା ମୌସୁମୀ

ଜୁନ ୧୨ ସୁଦ୍ଧା ଓଡିଶାରେ ପ୍ରବେଶ କରିବ ମୌସୁମୀ।

ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ଆକଳନ

ଭୁବନେଶ୍ବର, ୩୦/୦୫: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି। ଆସନ୍ତା ମେ ୩୧ ତାରିଖରେ କେରଳକୁ ମୌସୁମୀ ବାୟୁ ପ୍ରବେଶ କରିବା ନେଇ ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ହିଁ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର ପୂର୍ବ ଦିଗକୁ ଅଗ୍ରସର କରିବ। ଚଳିତ ବର୍ଷ ଦେଶରେ ଜୁନରୁ ସେପ୍ଟେମ୍ବର ମାସ ଭିତରେ ହାରାହାରି ୧୦୬ ପ୍ରତିଶତ ବର୍ଷା ହେବ ବୋଲି ଆଇଏମଡି ଆକଳନ କରିଛି। କେନ୍ଦ୍ରୀୟ ଓ ଦକ୍ଷିଣ ଭାରତରେ ଚଳିତ ବର୍ଷ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ବୃଷ୍ଟିପାତ ହେବାକୁ ଥିବା ବେଳେ ଓଡିଶାରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହେବ। ଜୁନ ୧୨ ସୁଦ୍ଧା ଓଡିଶାରେ ପ୍ରବେଶ କରିବ ମୌସୁମୀ।

ଅନ୍ୟପକ୍ଷରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ପ୍ରବଳ ହେଉଥିବା ଅନୁଭୂତ ହେଉଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର- ୪୫.୬ ଡିଗ୍ରୀ, ହୀରାକୁଦ- ୪୪.୫ ଡିଗ୍ରୀ, ରାଉରକେଲା ୪୩.୮ ଡିଗ୍ରୀ ଓ କେନ୍ଦୁଝରରେ ୪୧.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।