ଓଡ଼ିଶାର ନାର୍ଯ୍ୟ ଦାବିକୁ କେନ୍ଦ୍ରର ଲଗାତାର ଅବହେଳା: ବିଜେଡ଼ି

• ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଦାବିକୁ କେନ୍ଦ୍ରର ଲଗାତାର ଅଣଦେଖା • ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ • ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସାହାଯ୍ୟ କଲା କେନ୍ଦ୍ରରେ ଥିବା ବିଜେପି ସରକାର

୧୦ ବର୍ଷରେ କେନ୍ଦ୍ର ବଢ଼ାଇଲା ନାହିଁ କୋଇଲା ରୟାଲ୍ଟି

ଭୁବନେଶ୍ୱର, ୩୦/୦୫: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ଓଡ଼ିଶାର ବିଭିନ୍ନ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଥିବାର ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ କୋର୍ଡ଼ିନେଟର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ । ଶ୍ରୀମତୀ ମହନ୍ତ କହିଥିଲେ, ଦାରିଦ୍ର‌୍ୟ ଜର୍ଜରିତ ଅନଗ୍ରସର ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟ ଭଳି ବିକାଶ ଧାରାରେ ସାମିଲ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରି ଆସୁଛନ୍ତି । ଏଥିପାଇଁ ୨୦୧୨ରେ ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀର ରାମଲୀଲା ମଇଦାନରେ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପି ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ୧୦ ବର୍ଷ ହେଲା କେନ୍ଦ୍ରରେ ବିଜେପିର ସରକାର ରହିଥିଲେ ମଧ୍ୟ ରାଜ୍ୟ ବିଜେପି ଆଉ ଏ ନେଇ ପାଟି ଫିଟାଉ ନାହିଁ ।

ସେହିପରି ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଆର୍ଥିକ ଉନ୍ନତି ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ଉନ୍ନତି ଚାହୁଁନାହାନ୍ତି । ସ୍ୱାମୀନାଥନ କମିଶନ ସୁପାରିସ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ୨୦୧୮ରେ ବିଧାନସଭାରେ ସବୁ ଦଳ ପକ୍ଷରୁ ସଂକଳ୍ପ ପାରିତ ହୋଇଥିଲା । ମାତ୍ର ୫ ବର୍ଷ ପରେ ବି କେନ୍ଦ୍ରର ବିଜେପି ସରକାର ଏହା ନକରି ଓଡ଼ିଶାର ଚାଷୀକୂଳକୁ ଧୋକା ଦେଇ ଚାଲିଛନ୍ତି । ଓଡ଼ିଶା ସରକାରଙ୍କ ସଫଳ କୃଷି ନୀତି ଏବଂ ଓଡ଼ିଶାର ଚାଷୀମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଓଡ଼ିଶା ଏବେ ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ୮୦ ଲକ୍ଷ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରିମିୟମ ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ସହ ସଲାସୁତୁରା କରି ବୀମା କମ୍ପାନିମାନେ ଓଡ଼ିଶା ଚାଷୀଙ୍କ ପ୍ରାପ୍ୟ ଅର୍ଥ ଠିକ୍ ସମୟରେ ପ୍ରଦାନ କରୁନାହାନ୍ତି । ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ରର ବିଜେପି ସରକାର । ମାତ୍ର କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ଯୋଗୁଁ ଚାଷୀର ଆୟ ବଢ଼ିବା ବଦଳରେ ଚାଷୀକୂଳ କ୍ରମଶଃ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଉଛନ୍ତି ।

ଅପରପକ୍ଷରେ ଏମଏମଡିଆର ଆକ୍ଟ ଅନୁସାରେ ପ୍ରତି ତିନି ବର୍ଷରେ ଥରେ କୋଇଲା ରୟାଲଟି ରିଭିଜନ ହେବାର ନିୟମ ଥିଲେ ମଧ୍ୟ ବର୍ଷ ବର୍ଷ ହେଲା ରୟାଲଟି ବଢ଼ାଇ ନାହିଁ କେନ୍ଦ୍ର । ଫଳରେ ଓଡ଼ିଶା ସରକାର କୋଇଲା ରୟାଲଟି ବାବଦକୁ ଶହ ଶହ କୋଟି ଟଙ୍କାର ନାର୍ଯ୍ୟ ପ୍ରାପ୍ୟରୁ ବଂଚିତ ହେଉଛନ୍ତି । ଏ ନେଇ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ବାରମ୍ୱାର ଚିଠି ଲେଖିଛନ୍ତି । ବିଜେଡି ସାଂସଦମାନେ ସଂସଦ ଭିତରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି । ମାତ୍ର କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ଧୋକା ଦେଇ ଚାଲିଛି । ସେହିପରି କ୍ଲିନ୍ ଏନର୍ଜି ସେସ୍ ବାବଦରେ କେନ୍ଦ୍ର ସରକାର ଓଡ଼ିଶାରୁ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ ମଧ୍ୟରୁ ଏଥିରୁ ଟଙ୍କାଟିଏ ମଧ୍ୟ ଓଡ଼ିଶାକୁ ପ୍ରଦାନ କରୁନାହିଁ ।

କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ବ୍ୟାଙ୍କ୍ ସେବା ଓ ଟେଲିକମ୍ ତଥା ଇଣ୍ଟରନେଟ୍ ସଂଯୋଗ ପାଇବା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି । ରାଜ୍ୟର ପାଖାପାଖି ଅଧା ଗ୍ରାମପଞ୍ଚାୟତରେ କୌଣସି ବ୍ୟାଙ୍କର ଶାଖା ନଥିବାରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀମାନେ ଅର୍ଥ ପାଇବାରେ ହଇରାଣ ହେଉଛନ୍ତି । ସେହିପରି ଦେଶରେ ହାରାହାରି ଟେଲିକମ୍ ଘନତ୍ୱ ୮୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ୭୫ ପ୍ରତିଶତରେ ସୀମିତ ରହିଛି । ରାଜ୍ୟର ୬୨୭୮ ଗାଁରେ ଏବେବି ମୋବାଇଲ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।

ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ୨୦୧୪ରେ କେନ୍ଦ୍ରରେ ସରକାରକୁ ଆସିଥିଲା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର । ମାତ୍ର ସରକାରକୁ ଆସିବା ପରଠୁ ବିଜେପି ଦରଦାମ ବୃଦ୍ଧି ରୋକିବେ କ’ଣ, ସାରା ଦେଶରେ ଡାଲି, ଚାଉଳ, ଅଟା ତେଲ, ପେଟ୍ରୋଲ, ଡିଜେଲ ଆଦି ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ଏହାର ପ୍ରଭାବରେ ପ୍ରତ୍ୟେକ ଘରର ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ମାତ୍ର କେନ୍ଦ୍ର ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଦେଶର ଗରିବ ମହିଳାମାନଙ୍କୁ ଚୁଲି ଧୂଆଁର କୁପ୍ରଭାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ବହୁ ଆଡ଼ମ୍ୱରରେ ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା । ମାତ୍ର କେନ୍ଦ୍ର ଗ୍ୟାସ୍ ସିଲିଣ୍ଡରର ଦାମ୍ ପ୍ରାୟ ୩୦୦ ପ୍ରତିଶତ ବଢ଼ାଇ ଦେବାରୁ ସାରା ଦେଶରେ ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରି ଯୋଜନାରେ ପରିଣତ ହୋଇଛି ।

ସେହିପରି ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ଛତିଶଗଡ଼ ପଟ ନେବା କାରଣରୁ ଓଡ଼ିଶାକୁ ଟ୍ରିବ୍ୟୁନାଲର ସହାୟତା ନେବାକୁ ପଡ଼ିଛି । ଅପରପକ୍ଷରେ, ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଦାବିକୁ ଅଣଦେଖା କରିଆସୁଛି । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ତାର ନାର୍ଯ୍ୟ ଦାବିକୁ ଲଗାତାର ଅଣଦେଖା କରି ଆସୁଥିଲା ବେଳେ ନିର୍ବାଚନ
ସମୟରେ ଓଡ଼ିଶାବାସୀଙ୍କ ଭୋଟ ପାଇବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ମିଥ୍ୟା ଓ ଅପପ୍ରଚାରର ସହାୟତା ନେଉଛି । ଓଡ଼ିଶାବାସୀ ବିଜେପିର ଦୋମୁହାଁ ନୀତି ସହ ବେଶ ପରିଚିତ । ତେଣୁ ଓଡ଼ିଶାବାସୀ ଚଳିତ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ । ବିଜୁ ଜନତା ଦଳର ବିପୁଳ ବିଜୟ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ରାଜ୍ୟ ଶାସନଭାର ଦାୟିତ୍ୱ ନେବେ ।