ପିକ୍ ଆୱାରରେ କାମ କରିବାରୁ ଅସ୍ୱାଭାବିକ ମୃତ୍ୟୁ!

ଖରାରେ କାମ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଖରାରେ କାମ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ

ଭୁବନେଶ୍ବର, ୩୧/୦୫: ଗୁରୁବାର ଭୟଙ୍କର ତାତିରେ ପଶ୍ଚିମ ଓଡ଼ିଶାରେ ୩୨ ଜଣଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି। ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଉରକେଲାରେ ୧୨, ସମ୍ବଲପୁରରୁ ୮, ଝାରସୁଗୁଡ଼ାରୁ ୭, ବଲାଙ୍ଗୀରରୁ ୬ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାକ୍ତରଖାନାରେ ମୃତ ଅବସ୍ଥାରେ ଅଣାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଭାରପ୍ରାପ୍ତ ଅଧୀକ୍ଷକ ଆରଜିଏଚ୍ ଡାକ୍ତର ସୁଧାରାଣୀ ପ୍ରଧାନ ସୂଚନା ଦେଇଛନ୍ତି। ସେପଟେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ରାଉରକେଲାର ସମସ୍ତ ମୃତକ ପିକ୍ ଆୱାରରେ କାମ କରୁଥିବା ସନ୍ଦେହ କରାଯାଉଛି। ସନ୍ଦିଗ୍ଧ ହିଟ୍ ଷ୍ଟ୍ରୋକରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ସେହିପରି ଏହି ଅସ୍ବାଭାବିକ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ରାଉରକେଲା ଗସ୍ତ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ମେଡ଼ିକାଲ ଅଫିସରଙ୍କ ତତ୍ଵାବଧାନରେ ଏହି ରାଜ୍ୟସ୍ତରୀୟ ଟିମ୍ ରାଉରକେଲା ଯାଇ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିବ ଓ ତଦନ୍ତ କରିବ।

ଏସ୍ଆରସି ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପିକ୍ ଆୱାରରେ କାମ ନ କରିବାକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବାକୁ ବାରଣ କରିଛନ୍ତି ଏସ୍ଆରସି। ଯଦି କେହି ଏ ନିୟମ ଉଲ୍ଲଂଘନ କରନ୍ତି ତାହାଲେ ସେମାନଙ୍କ ବିରୋଧରେ ଆବଶ୍ୟକୀୟ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।