ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟଣାରେ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିଲେ।

ଏସ୍ଆରସି ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୦୧/୦୬: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କ ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଜି ଅପରାହ୍ନ ୫ଟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ପୁରୀ ବାଣ ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ବୋଲି ସୂଚନା ମିଳିଛି। ୨୧ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ପୂର୍ବରୁ ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ୨୯ ତାରିଖରେ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ସମୟରେ ଚାପ ଖେଳ ସମୟରେ ବାଣ ବିସ୍ଫୋରଣ ଘଟି ୩୦ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବା ସହ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ଏବଂ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।।