୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

୨୫ ସୁଦ୍ଧା ନାମ ଦେଇପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ, ୧୩/୦୬: ଲୋକସଭା ବାଚସ୍ପତି ଚୟନ ପାଇଁ ହେବ ନିର୍ବାଚନ। ଲୋକସଭା ବାଚସ୍ପତି ନିର୍ବାଚନ ପାଇଁ ଆସନ୍ତା ଜୁନ୍ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୨୫ ତାରିଖ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ନିଜ ନାମ ଦେଇପାରିବେ। ଜୁନ ୨୪ରେ ସଂସଦର ପ୍ରଥମ ଅଧିବେଶନ ବସିବ। ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ୨୪ ଓ ୨୫ ତାରିଖରେ ଲୋକସଭାର କାମଚଳା ବାଚସ୍ପତି ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।